ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ

କେତେବେଳେ ହାଣ୍ଡିଛାଡ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ପୁରୀ, ୨୩/୦୨: ଆସନ୍ତା ୩ ତାରିଖ ଦୋଳପୂର୍ଣ୍ଣିମାରେ ଲାଗିବ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଜ୍ୟୋତିର୍ବିତଙ୍କ ଅନୁସାରେ ୩ ତାରିଖ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୪୭ ମିନିଟ୍ ପରେ ସର୍ବମୋକ୍ଷ ହେବ।

ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ସେଥିପାଇଁ ସେ ଦିନ ସୂର୍ଯ୍ୟୋଦୟ ସମୟ ଅର୍ଥାତ୍ ସକାଳ ୬ଟା ୦୮ ମିନିଟ୍ ରୁ ପାକତ୍ୟାଗ ଓ ଅନ୍ନ ଭୋଜନ ସଂପୂର୍ଣ୍ଣ ନିଷେଧ କରାଯାଇଛି।

ଗ୍ରହଣ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ସର୍ବମୋକ୍ଷ ପରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ରାତି ୮ଟାରୁ ୯ଟା ୩୦ ମଧ୍ୟରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଚଳନ୍ତି ପ୍ରତିମା ରାତି ୧୦ଟାରେ ଦୋଳବେଦୀରେ ବିଜେ କରିବେ।

ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଓ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ସ୍ପଷ୍ଟ ଦୃଶ୍ୟମାନ ହେବ। ଓଡିଶାରେ ବି ଏହା ଦୃଶ୍ୟମାନ ହେବ।