ଭାରତ ମହାସାଗରରେ ବୁଡ଼ିଲା ଜାହାଜ, ଧକ୍କା ଦେଲା ଆମେରିକୀୟ ସବମରିନ୍

୮୦ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ, ୦୪/୦୩: ଶ୍ରୀଲଙ୍କା ଉପକୂଳ ନିକଟରେ ବୁଡ଼ିଲା ଇରାନୀୟ ଜାହାଜ। ଭାରତ ମହାସାଗରରେ ଏକ ଆମେରିକୀୟ ବୁଡ଼ାଜାହାଜ (ସବମରିନ୍) ଇରାନର ଏକ ଜାହାଜକୁ ଧକ୍କା ଦେଇ ବୁଡ଼ାଇ ଦେବା ଫଳରେ ଅତି କମରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ଉପ-ବୈଦେଶିକ ମନ୍ତ୍ରୀ ବୁଧବାର ସ୍ଥାନୀୟ ଟେଲିଭିଜନରେ କହିଛନ୍ତି।

ଶ୍ରୀଲଙ୍କାର ଦକ୍ଷିଣ ଉପକୂଳ ନିକଟରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀୟ ଜାହାଜ ଉପରେ ଆକ୍ରମଣ କରିଥିବା କଥା ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ନିଶ୍ଚିତ କରିବା ପରେ ଶ୍ରୀଲଙ୍କାର ଉପ-ବୈଦେଶିକ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ସଂସଦରେ କହିଛନ୍ତି ଯେ ଇରାନୀୟ ଜାହାଜରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ମଉଜ-କ୍ଲାସ୍ ଫ୍ରିଗେଟ୍ ଶ୍ରୀଲଙ୍କା ଉପକୂଳରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦୂରରେ ଏହାର ଆକ୍ରମଣ କରାଯାଇଥିଲା। IRINS Dena ନାମକ ଏହି ଜାହାଜଟି ଭାରତରେ ଆନ୍ତର୍ଜାତୀୟ ନୌସେନା ସମୀକ୍ଷା ୨୦୨୬ ରେ ଅଂଶ ଗ୍ରହଣ କରି ଫେରୁଥିଲା। ଯାହା ଫେବୃଆରୀ ୧୮ ରୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଅନୁଷ୍ଠିତ ଏକ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରିଥିଲା।

ଶ୍ରୀଲଙ୍କା କର୍ତ୍ତୃପକ୍ଷ କହିଛନ୍ତି ଯେ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ସମୁଦ୍ରରୁ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଦକ୍ଷିଣ ବନ୍ଦର ସହର ଗାଲେର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆମେ ନିଶ୍ଚିତ ନହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀଲଙ୍କା ନୌସେନା ମୁଖପାତ୍ର କମାଣ୍ଡର ବୁଦ୍ଧିକା ସମ୍ପଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବିଷୟରେ ସବିଶେଷ ସୂଚନା ଦେଇପାରିବି ନାହିଁ।‌ଜାହାଜଟି ଏକ ସାମରିକ ଜାହାଜ। ଘଟଣା ଶ୍ରୀଲଙ୍କା ଜଳସୀମା ବାହାରେ ଘଟିଛି କିନ୍ତୁ ଶ୍ରୀଲଙ୍କା ସହଯୋଗ କରିବାକୁ ପ୍ରତିବଦ୍ଧ,” ସେ କହିଛନ୍ତି।

ଶ୍ରୀଲଙ୍କାର ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ ଜାହାଜଟି ଏକ ବୁଡ଼ାଜାହାଜ ଦ୍ୱାରା ଆକ୍ରମଣ ହୋଇଛି ଏବଂ ଅତି କମରେ ୧୦୧ ଜଣ ନିଖୋଜ ଅଛନ୍ତି।