ଇସଲାମାବାଦ, ୦୫/୦୩: ଇରାନ ସହ ଇସ୍ରାଏଲ ଓ ଆମେରିକାର ଯୁଦ୍ଧରେ ଲମ୍ଫ ମାରିବ ପାକିସ୍ତାନ। ସାଉଦି ଆରବ ସହ ପ୍ରତିରକ୍ଷା ଚୁକ୍ତିନାମା ଯୋଗୁଁ ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇପାରେ ବୋଲି ସୂଚନା ମିଳିଛି। ଇରାନ ଦ୍ୱାରା ସାଉଦି ଆରବକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣର ଟାର୍ଗେଟ କରାଯାଇଛି। ଯେଉଁଥିପାଇଁ ଯୁଦ୍ଧ ମଇଦାନକୁ ଓହ୍ଲାଇପାରେ ପାକିସ୍ତାନ।
ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ତାଙ୍କ ଇରାନୀ ପ୍ରତିପକ୍ଷଙ୍କୁ ସାଉଦି ଆରବ ଉପରେ ଆକ୍ରମଣ କରିବା ବିରୁଦ୍ଧରେ ଚେତାବନୀ ଦେଇଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଜଣେ ବରିଷ୍ଠ ପାକିସ୍ତାନୀ ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ପ୍ରତିରକ୍ଷା ଚୁକ୍ତିନାମା ଯୋଗୁଁ ଇରାନ ବିରୋଧରେ ଯୁଦ୍ଧରେ ସକ୍ରିୟ ହୋଇପାରିବ ପାକିସ୍ତାନ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ମିଳିତ ଯୁଦ୍ଧ ଆରମ୍ଭ କରିଥିଲେ। ଇରାନ ପରବର୍ତ୍ତୀ ସମୟରେ ଆମେରିକୀୟ ସାମରିକ ଘାଟି, ଦୂତାବାସ ଏବଂ ଗୁରୁତ୍ୱପୂର୍ଣ୍ଣ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିଲା, ଯାହା ଅନେକ ଦେଶକୁ ବ୍ୟାପିଥିଲା। ମଧ୍ୟପ୍ରାଚ୍ୟର ସମସ୍ତ ଦେଶ ଉପରେ ଆକ୍ରମଣ କରିଥିଲା ଇରାନ। ଏହି ଦେଶଗୁଡ଼ିକରେ ଥିବା ଆମେରିକୀୟ ସେନା ଘାଟି ଓ ଦୂତାବାସକୁ ଟାର୍ଗେଟ କରି ଘନଘନ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। ଏପରିକି ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ସମ୍ପୂର୍ଣ୍ଣ ଜଳି ପୋଡ଼ି ଛାରଖାର ହୋଇଯାଇଥିଲା।
ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇ ଉଠିଛି ଇରାନ। ଇରାନ ବିରୋଧରେ ଥିବା ସବୁ ଦେଶ ଉପରେ ଅନବରତ ଆକ୍ରମଣ କରିଚାଲିଛି ଇରାନ।
ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଚୁକ୍ତିନାମା:-
ଗତ ବର୍ଷ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଏହି ଚୁକ୍ତିନାମା ନାଟୋ ପରି କାର୍ଯ୍ୟ କରେ। ଗୋଟିଏ ଉପରେ ଆକ୍ରମଣ ଅନ୍ୟ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ଏହା ବର୍ଷ ବର୍ଷ ଧରି ତିକ୍ତ ସମ୍ପର୍କ ପରେ ଦୁଇ ମୁସଲିମ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ପାଇଁ ଏକ ନୂତନ ଆରମ୍ଭ କରିଥିଲା।