ନାମାଙ୍କନ ଭରିଲେ ନୀତିଶ, ଯିବେ ରାଜ୍ୟସଭା

ରାଜନୀତିରେ ଡେବ୍ୟୁ କରିବେ ପୁଅ ନିଶାନ୍ତ

ପାଟନା, ୦୫/୦୩: ବିହାର ରାଜନୀତିରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବେ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନୀତିଶ। ଦୀର୍ଘ ୨୦ ବର୍ଷ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ କେନ୍ଦ୍ରୀୟ ରାଜନୀତିକୁ ଫେରିବାକୁ ଯାଉଛନ୍ତି।

କୁହାଯାଉଛି ଯେ ନୀତିଶଙ୍କ ପରେ ପ୍ରଥମ ଥର ପାଇଁ ବିହାରରେ ଜଣେ ବିଜେପି ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନୀତିଶ କୁମାର ରାଜ୍ୟସଭାକୁ ଯିବା ଦ୍ଵାରା ୨୧ ବର୍ଷ ପରେ ବିହାରର କମାଣ୍ଡ ନୂଆ ହାତରେ ରହିବ। ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ବିଜେପିର ନିତ୍ୟାନନ୍ଦ ରାୟଙ୍କ ସମେତ ଅନେକ ନାମ ଆଗକୁ ଆସୁଛି। ବର୍ତ୍ତମାନ ସେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

ଦ୍ୱିତୀୟରେ ସମ୍ରାଟ ଚୌଧୁରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। କୁଶୱାହା ସମ୍ପ୍ରଦାୟରୁ ଆସି ସମ୍ରାଟ ଚୌଧୁରୀ ବିହାରରେ ବିଜେପିର ଏକ ବଡ଼ ଚେହେରା। ତେବେ ଶେଷ ମୁହୂର୍ତ୍ତରେ ବିଜେପି ପଛୁଆ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ନୀତିଶ କୁମାରଙ୍କ ରାଜ୍ୟସଭାକୁ ଯିବା ସହିତ ତାଙ୍କ ପୁଅ ନିଶାନ୍ତ କୁମାର ବିହାର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ନିଶାନ୍ତ କୁମାରଙ୍କୁ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।