ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ବଢ଼ିଲା ଘରୋଇ ଓ କମର୍ସିଆଲ ଗ୍ୟାସ

ନୂଆଦିଲ୍ଲୀ, ୦୭/୦୩: ଇରାନ ସହିତ ଇସ୍ରାଏଲ ଓ ଆମେରିକାର ଯୁଦ୍ଧର ପ୍ରଭାବ ହାଣ୍ଡିଶାଳରେ ଦେଖିବାକୁ ମିଳିଛି। ସାରା ଭାରତରେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି। ବାଣିଜ୍ୟିକ ସିଲିଣ୍ଡର ପ୍ରାୟ ୧୧୫ ଟଙ୍କା ମହଙ୍ଗା ହୋଇଛି। ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ସଂଘର୍ଷ ଯୋଗୁଁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏଲପିଜି ସିଲିଣ୍ଡରର ସଂଶୋଧିତ ଦର ମାର୍ଚ୍ଚ ୭ ତାରିଖରୁ ଲାଗୁ ହେବ।

ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅନୁଯାୟୀ, ଦିଲ୍ଲୀରେ ଅଣ-ସବସିଡି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କା ହୋଇଛି। ମୁମ୍ବାଇରେ ଏହାର ମୂଲ୍ୟ ୯୧୨.୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ କୋଲକାତାରେ ଏହାର ମୂଲ୍ୟ ଏବେ ପ୍ରାୟ ୯୩୯ ଟଙ୍କା। ଚେନ୍ନାଇରେ ସଂଶୋଧିତ ମୂଲ୍ୟ ପ୍ରତି ସିଲିଣ୍ଡର ୯୨୮.୫୦ ଟଙ୍କା ରହିଛି।

ବୃଦ୍ଧି ସତ୍ତ୍ୱେ, ଅଧିକାରୀମାନେ କହିଛନ୍ତି ଯେ ଭାରତରେ ରନ୍ଧନ ଗ୍ୟାସର ମୂଲ୍ୟ ଅନେକ ପଡ଼ୋଶୀ ଦେଶ ତୁଳନାରେ କମ୍ ରହିଛି। ଶେଷ ଥର ୨୦୨୫ ଏପ୍ରିଲ ମାସରେ ୫୦ ଟଙ୍କା ଏଲପିଜି ସିଲିଣ୍ଡର ମୂଲ୍ୟ ବଢିଥିଲା।

ସେହିପରି ଦିଲ୍ଲୀରେ ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧,୭୬୮.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ଏବେ ୧,୮୩୫ ଟଙ୍କାରେ ପହଞ୍ଚିଛି, ଯେତେବେଳେ କୋଲକାତାରେ ଏହି ମୂଲ୍ୟ ପ୍ରାୟ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨,୦୪୩.୫୦ ଟଙ୍କାରେ ପହଞ୍ଚିଛି।