ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିବା ସାତ୍ତ୍ୱିକ ଦେବତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଦେଶ ଏବଂ ସମାଜର ପ୍ରଗତି ପାଇଁ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର, ୦୭/୦୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ଲୋକସେବା ଭବନରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ରେ ସର୍ବଭାରତୀୟ ରାଙ୍କ ୧୦୦ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମ ଦେବତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କେନ୍ଦୁଝର ଜିଲ୍ଲାର ହାଟାଡିହି ବ୍ଲକର ବାସିନ୍ଦା ସାତ୍ତ୍ୱିକ ତାଙ୍କ ପିତାମାତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାକୁ ଓଡ଼ିଶାର ଯୁବପିଢି ମାନଙ୍କ ପାଇଁ ଏକ ପ୍ରେରଣା ବୋଲି କହିଥିଲେ।
ଏହା ସହିତ, ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଲୋକଙ୍କ ସେବା କରିବା ପ୍ରଶାସନିକ ସେବାର ପ୍ରାଥମିକ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦେଶ ଏବଂ ସମାଜର ପ୍ରଗତି ପାଇଁ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ପରାମର୍ଶ ଦେଇଥିଲେ।
ସାତ୍ତ୍ୱିକ (୨୯) ୨୦୧୮ରେ ଭୁବନେଶ୍ୱରର ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (OUTR)ରୁ ମେକାନିକାଲ୍ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରୀ ସମାପ୍ତ କରିଛନ୍ତି। ସିଭିଲ୍ ସେବା ପରୀକ୍ଷାରେ ସଫଳତା ପାଇବା ପୂର୍ବରୁ, ସାତ୍ତ୍ୱିକ ୨୦୨୩ ମସିହାରୁ ନାବାର୍ଡରେ ସହାୟକ ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ।