ତେଲ ସରିଯିବା ନେଇ ଗୁଜବ ପ୍ରଚାର; ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

‘ପେଟ୍ରୋଲ-ଡିଜେଲ ସଙ୍କଟ ନାହିଁ, କଳାବଜାରୀ କଲେ ଆକ୍ସନ’

ମାଲକାନଗିରି, ୦୭/୦୩: ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲ୍ ଅଭାବ ଦେଖା ଦେଇଥିବାର ଗୁଜବ ସୃଷ୍ଟି ହେବା ପରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଲୋକମାନେ ରାତିରୁ ଦିନ ଯାଏଁ ପେଟ୍ରୋଲ ଓ ଡିଜେଲ୍ ପାଇଁ ଅପେକ୍ଷା କରୁଥିଲେ।

ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ତେଲର ଅଭାବକୁ ନେଇ ଗୁଜବ ସୃଷ୍ଟି ହେଉଛି, ଗୁଜବଠୁ ଦୂରରେ ରୁହନ୍ତୁ। ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ୍‌ ଅଛି। ରୁଷିଆରୁ ପ୍ରଚୁର ପରିମାଣର ତେଲ ଏବେ ଆସୁଛି। ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁନି କି ଘରେ ମହଜୁଦ ରଖନ୍ତୁନି। ସରକାର ଜାରି କରୁଥିବା ତଥ୍ୟ ଉପରେ କେବଳ ବିଶ୍ବାସ କରନ୍ତୁ। କଳାବଜାରୀ ଉପରେ ନଜର ରଖାଯାଇଛି, ଦରକାର ପଡ଼ିଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ପେଟ୍ରୋଲ ଓ ଡିଜେଲ୍ ବ୍ୟବସାୟୀ ସଂଘ ସଭାପତି ସଞ୍ଜୟ ଲାଠ ପ୍ରତିକ୍ରିୟା ରଖି କହିଛନ୍ତି, ଅଶୋଧିତ ତୈଳ ଦର ୯୪ ଡଲାର୍ ବ୍ୟାରେଲ ପିଛା ବଢ଼ିଛି। ଅଶୋଧିତ ତୈଳ ମହଜୁଦ୍ ଅଛି, ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇବନି। ମଧ୍ୟପ୍ରାଚ୍ୟକୁ ବାଦ୍ ଦେଲେ ଅନ୍ୟ ୪୨ଟି ଦେଶରୁ ତେଲ ଆସୁଛି।

ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି, ମାଲକାନଗିରିରେ ପଟ୍ରୋଲ-ଜିଜେଲର ଅଭାବ ନାହିଁ। ତିନି ଦିନ ଛୁଟି ପାଇଁ ଜିଲ୍ଲାକୁ ତେଲ ଆସିପାରି ନଥିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ।