ଟିପିସିଓଡିଏଲ୍ ପକ୍ଷରୁ ‘ଲାଇନ୍‌‌ମ୍ୟାନ୍ ଦିବସ’ ପାଳିତ

ସମଗ୍ର ସେଣ୍ଟ୍ରାଲ ଓଡ଼ିଶାରେ ୫୫ତମ ଜାତୀୟ ସୁରକ୍ଷା ମାସ ପାଳିଲା ଟିପିସିଓଡିଏଲ୍‌

ଭୁବନେଶ୍ୱର, ୦୭/୦୩: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), ପକ୍ଷରୁ ନିଜର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ନିଷ୍ଠା, ସାହସିକତା ଓ ସେବାକୁ ସମ୍ମାନ ଜଣାଇ ‘ଲାଇନ୍‌‌ମ୍ୟାନ୍ ଦିବସ’ ପାଳନ କରାଯାଇଛି । ଏହି ଅବସରରେ କମ୍ପାନୀର ସେବା ଯୋଗାଣ କ୍ଷେତ୍ରରେ ୫୫ତମ ଜାତୀୟ ସୁରକ୍ଷା ଦିବସର ଉଦଘାଟନ ସହ ‘ଜାତୀୟ ସୁରକ୍ଷା ମାସ’ର ଶୁଭାରମ୍ଭ କରାଯାଇଛି ।

ସୁରକ୍ଷାକୁ ଦୈନନ୍ଦିନ କାର୍ଯ୍ୟ ଏବଂ ସଂସ୍କୃତିର ଅଭିନ୍ନ ଅଙ୍ଗ କରିବା ଲକ୍ଷ୍ୟରେ ୪ ମାର୍ଚ୍ଚରୁ ୩ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏହି ସୁରକ୍ଷା ମାସ ପାଳିତ ହେବ । କମ୍ପାନୀର ସମସ୍ତ ସେକ୍ସନ, ଡିଭିଜନ, ଏମଆରଟି ଏବଂ କର୍ପୋରେଟ୍ ଅଫିସ୍ ସମେତ ମୋଟ ୨୫୯ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ଡିଭିଜନରୁ ଆସିଥିବା ଲାଇନ୍‌‌ମ୍ୟାନ୍‌‌ମାନେ ଅତ୍ୟନ୍ତ ଗର୍ବ ଓ ଉତ୍ସାହର ସହ ସାମିଲ ହୋଇଥିଲେ । ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ ଓ ଭରସାଯୋଗ୍ୟ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଏଠାରେ ସ୍ୱୀକୃତି ଦିଆଯାଇଥିଲା । ବିଶେଷ କରି କର୍ତ୍ତବ୍ୟ ପ୍ରତି ଅତୁଟ ନିଷ୍ଠା ଓ ସମର୍ପଣ ପାଇଁ ୫ ଜଣ ଲାଇନ୍‌‌ମ୍ୟାନ୍‌‌ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କର୍ମଚାରୀମାନେ ପ୍ରତିକୂଳ ପାଗ, ଦୁର୍ଗମ ସ୍ଥାନ ଏବଂ ଜରୁରୀକାଳୀନ ମରାମତି ସମୟରେ ମଧ୍ୟ ଉପଭୋକ୍ତାଙ୍କ ପାଖରେ ନିରବଚ୍ଛିନ୍ନ ବିଦ୍ୟୁତ୍ ପହଞ୍ଚାଇବା ପାଇଁ କାମ କରିଥାନ୍ତି ।

କାର୍ଯ୍ୟକ୍ରମର ଆରମ୍ଭରେ କମ୍ପାନୀ ପକ୍ଷରୁ ପତାକା ଉତ୍ତୋଳନ କରାଯାଇ କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ଶୃଙ୍ଖଳା ପ୍ରତି ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା । ସେହିଭଳି ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଶପଥ ପାଠ କରାଯାଇଥିଲା, ଯେପରି ସେମାନେ ନିଜ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ସମସ୍ତ ସୁରକ୍ଷା ନିୟମ ପାଳନ କରିବେ । ଏହା ସହିତ ସୁରକ୍ଷିତ କାର୍ଯ୍ୟ ପରିବେଶ ପାଇଁ କର୍ମଚାରୀଙ୍କୁ ନିଜର ବ୍ୟକ୍ତିଗତ ଦାୟିତ୍ୱକୁ ମନେ ପକାଇଦେବା ଉଶ୍ୟେରେ ବ୍ୟାଜ୍ ପିନିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶେଷ କରି କ୍ଷେତ୍ରସ୍ତରରେ କାର୍ଯ୍ୟରତ ଲାଇନ୍‌‌ମ୍ୟାନ୍‌‌ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ଓ ନିଷ୍ଠାପରତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଟିପିସିଓଡିଏଲ୍‌‌ର ସିଇଓ ଶ୍ରୀ ଅରଭିନ୍ଦ ସିଂ କ୍ଷେତ୍ରସ୍ତରୀୟ ଟିମ୍‌‌ର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, “ଆମ ଲାଇନ୍‌‌ମ୍ୟାନ୍‌‌ମାନେ ହେଉଛନ୍ତି ସଂସ୍ଥାର ମେରୁଦଣ୍ଡ । କଠିନ ପରିସ୍ଥିତିରେ ମଧ୍ୟ ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ପାଇଁ ସେମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସମର୍ପଣଭାବ ଓ ଅନୁଶାସନ ହିଁ ଆମ ବିଦ୍ୟୁତ ନେଟୱର୍କକୁ ସୁଦୃଢ କରିଛି । ଆମ ପାଇଁ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଚାହୁଁ ପ୍ରତିଟି କର୍ମଚାରୀ ସୁରକ୍ଷିତ ଭାବେ ନିଜ ପରିବାର ପାଖକୁ ଫେରନ୍ତୁ ।” ସେ କମ୍ପାନୀର ଜିରୋ ହାର୍ମ ମିଶନ ଉପରେ ଆଲୋକପାତ କରିବା ସହ ସୁରକ୍ଷାକୁ କେବଳ ଏକ ନିୟମ ନୁହେଁ ବରଂ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଗୁରୁତ୍ୱ ଦେଇଥିଲେ ।

କାର୍ଯ୍ୟକ୍ରମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ କ୍ଷେତ୍ର କର୍ମଚାରୀମାନେ ସେମାନଙ୍କର ବାସ୍ତବ ଅନୁଭୂତି ଏବଂ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଆହ୍ୱାନ ସମ୍ପର୍କରେ ଜଣାଇଥିଲେ । ଏହି ଉତ୍ସବରେ କମ୍ପାନୀର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।