ଯୁଦ୍ଧକୁ ବିତିଲାଣି ୧୨୨ ଦିନ ହେଲେ ଥମୁନି ସ୍ଥିତି

ନୂଆଦିଲ୍ଲୀ: ଋଷ ଉକ୍ରେନ୍ ଯୁଦ୍ଧକୁ ବିତିଲାଣି ୧୨୨ ଦିନ । ଦିନ ଗଡିବା ସହିତ ଭୟଙ୍କର ହେଉଛି ସ୍ଥିତି । ଯୁଦ୍ଧ ଥମିବା ନେଇ କୌଣଷି ଆଭାସ ନାହିଁ । ଜାରି ରହିଛି ଆକ୍ରମଣ ପ୍ରତି ଆକ୍ରମଣ । ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ରୁଷ ବିରୋଧରେ ଲଢିବାକୁ ୟୁକ୍ରେନକୁ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଛନ୍ତି। ହେଲେ ଋଷ ଚାଲାକି କରି ସେସବୁ ଅସ୍ତ୍ରଶସ୍ତ୍ର ରଖାଯାଉଥିବା ଅଂଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି । ଫଳରେ ୟୁକ୍ରେନ କୁ ପ୍ରବଳ କ୍ଷତି ସହିବାକୁ ପଡୁଛି

ଋଷର ଫୋକସ୍ ଉତ୍ତର ଓ ପଶ୍ଚିମ ୟୁକ୍ରେନ। ସେଠି ଥିବା ବିଭିନ୍ନ ୟୁକ୍ରେନୀୟ ମିଲିଟାରି କେନ୍ଦ୍ର ଉପରେ ରୁଷ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଛି । ଆକ୍ରମଣରେ ସଂପୃକ୍ତ ମିଲିଟାରି କେନ୍ଦ୍ର ଗୁଡ଼ିକର ପ୍ରବଳ କ୍ଷତି ହୋଇଥିବା ଜଣାଯାଇଛି । ଧୂଳିସାତ ହୋଇପଡିଛି ମିଲିଟାରି କେନ୍ଦ୍ର । ପଶ୍ଚିମ ୟୁକ୍ରେନରେ ଥିବା ଲିଭିଭ୍ ଅଂଚଳରେ ଥିବା ୟାଭୋରିଭ୍ ସାମରିକ ଘାଟି ଉପରକୁ ରୁଷ ୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଲିଭିଭର ଗଭର୍ଣ୍ଣର ମାକ୍ସିମ ତୋଜିଟସ୍କି କହିଛନ୍ତି । ଏଥିରେ ୟୁକ୍ରେନ ବହୁ କ୍ଷତି ସହିଛି। କୃଷ୍ଣସାଗରରେ ଥିବା ରୁଷ ଜାହାଜରୁ ଏସବୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ବୋଲି ପ୍ରାଥମିକ ସୂଚନା ମିଳିଛି

କେବେ ଯୁଦ୍ଧ ବନ୍ଦ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ । କେହି ମଇଦାନ ଛାଡିବାକୁ ନାରାଜ। ନିଜ ନିଜ ଜିଦରେ ଅଟଳ ଉଭୟ ଋଷ ଏବଂ ୟୁକ୍ରେନ । ଆଗକୁ ଯୁଦ୍ଧ ବନ୍ଦ ନହେଲେ ସାରା ବିଶ୍ବରେ ଏହାର ପ୍ରଭାଵ ପଡ଼ିବ ଏଥିରେ କୌଣଷି ସଂଦେହ ନାହିଁ ।