ପଞ୍ଚଭୂତରେ ବିଲୀନ ହେଲେ ଆଶା ଭୋସ୍‌ଲେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ, ୧୩/୦୪: ପଞ୍ଚଭୂତରେ ବିଲୀନ ହେଲେ ଆଶା ଭୋସ୍‌ଲେ। ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ଆନନ୍ଦ ଭୋସଲେ ମୁଖାଗ୍ନି ଦେଇଛନ୍ତି।

ସୂର୍ଯ୍ୟ ଅସ୍ତ ହେବା ପରେ, ଶିବାଜୀ ପାର୍କ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ କିମ୍ବଦନ୍ତୀ ଆଶା ଭୋଁସଲେଙ୍କୁ ଶେଷ ବିଦାୟ ଦିଆଯାଇଛି। ଅନ୍ତିମ ସଂସ୍କାର ପୂର୍ବରୁ ଆଶାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଲୋୟର ପାରେଲ ବାସଭବନରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଦାଦରର ଶିବାଜୀ ପାର୍କକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଶୋଭାଯାତ୍ରାରେ ନିଆଯାଇଥିବା ଗାଡ଼ିକୁ ଆଶାଙ୍କ ପ୍ରିୟ ଧଳା ଏବଂ ହଳଦିଆ ରଙ୍ଗ ଫୁଲରେ ସଜା ଯାଇଥିଲା। ଆଶାଙ୍କ ଶେଷ ଯାତ୍ରାରେ ହଜାର ହଜାର ପ୍ରଶଂସକ ଏବଂ ବଲିଉଡ ଅଭିନେତା ଯୋଗ ଦେଇଥିଲେ।

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଜାତୀୟ ପତାକା ପକାଇ ସମ୍ମାନ ଜଣାଇଛନ୍ତି ପ୍ରଶାସନିକ ଅଧିକାରୀ।

ଗତକାଲି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଶିଷ୍ଟ ବ୍ୟକ୍ତି ବିଶେଷ।‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶିବାଜୀ ପାର୍କରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସୁନେତ୍ରା ପାୱାରଙ୍କ ସହ ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।