ଝିଅର ଗଳା କାଟିଲା, ମୁହଁରେ‌ ଏସିଡ୍ ଢାଳି କେନାଲରେ ଫିଙ୍ଗିଲା

ନୃଶଂସ ବାପା ନେଲା ଝିଅର ଜୀବନ

ଲକ୍ଷ୍ନୌ, ୨୦/୦୪: ପରିବାର ହେଉଛି ସବୁଠୁ ନିରାପଦ ସ୍ଥାନ। କିନ୍ତୁ କେତେକ ଘଟଣା ଏପରି ହୃଦୟବିଦାରକ ଓ ନୃଶଂସ ହୋଇଥାଏ ଯାହା ସେହି ବିଶ୍ୱାସକୁ ଭାଙ୍ଗି କରିଦେଇଥାଏ। ଜଣେ ବାପା ଯେ ଏପରି କୁକର୍ମ କରି ପାରିବ, ତାହା କେବେ କଳ୍ପନା‌ ବି କରିହେବନି। ଯେଉଁ ହାତରେ ଝିଅକୁ ବଢ଼େଇ ଥିଲା, ସେହି ହାତରେ ହିଁ ଅତି ନୃଶଂସ ଭାବେ ହତ୍ୟା କରିବ ତାହା, କେହି କେବେ ଭାବିବା ବି ଅବିଶ୍ୱସନୀୟ।

ଏକ ବ୍ୟକ୍ତି ନିଜ ଝିଅକୁ ଗଳା କାଟି ହତ୍ୟା କରିବା ପରେ ମୁହଁକୁ ଚିହ୍ନି ନ ପାରିବା ପାଇଁ ମୁହଁରେ ଏସିଡ୍ ଢାଳି ଦେଇଛି। ଏହା ପରେ ଝିଅର ମୃତଶରୀରକୁ ଏକ କେନାଲକୁ ଫିଙ୍ଗି ଦେଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଚିହ୍ନାଟ ଥାନା ଅନ୍ତର୍ଗତ ଏକ ଗାଆଁରେ ଏହି ଘଟଣା ଘଟିଛି।

ହତ୍ୟାକାରୀ ବାପା ବିଜୟ ଚୌବେ ଏପ୍ରିଲ ୧୬ ତାରିଖରେ ତାଙ୍କ ଝିଅ ନିଖୋଜ ହୋଇଥିବା ଥାନାରେ ରିପୋର୍ଟ କରିଥିଲେ। କିନ୍ତୁ ବିଜୟର ବ୍ୟବହାର ଓ ଆଚରଣ ସନ୍ଦେହଜନକ ଥିଲା। ପୋଲିସ ବାରମ୍ବାର ବିଜୟକୁ ପଚାରିବା ପରେ ଶେଷରେ ସେ ସତ ମାନିଥିଲା। ବିଜୟ ପୋଲିସକୁ କହିଛି ଯେ ସେ ତା ଝିଅକୁ ଏପ୍ରିଲ ୧୪ ତାରିଖରେ ବାରବାଙ୍କି ନେଇଯାଇଥିଲା ଏବଂ ଗଳାକାଟି ହତ୍ୟା କରିଥିଲା। ଆଉ ଏଥିରେ ତାକୁ ସାହାଯ୍ୟ କରିଥିଲା ତାର ବନ୍ଧୁ ଅବଦୁଲ ମନ୍ନନ। ଉଭୟଙ୍କୁ ଗିରଫ କରିଛି ପୋଲିସ।

ବିଜୟ ପୋଲିସକୁ କହିଛି ଯେ ସେ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଥିଲେ। ତେଣୁ ସେ ତାଙ୍କ ସାଙ୍ଗଙ୍କ ସହିତ ମିଶି ଏକ ପ୍ଲାନ କରିଥିଲେ। ଯୋଜନା ଅନୁସାରେ, ଏକ ଗାଡ଼ି ଭଡ଼ା ନେଇଥିଲେ ଏବଂ ଭୂତ ଛଡ଼ାଇବା ବାହାନାରେ ଝିଅକୁ ସୁଲତାନପୁର ନେଇଯାଇଥିଲେ। ଏହା ପରେ ଢାବାରେ ରାତ୍ରୀଭୋଜନ କଲେ, ସେଠାରେ ରାତି କାଟିଲେ ଏବଂ ପରଦିନ ସୁଲତାନପୁରରୁ ଫେରିଲେ, ବହୁତ ସମୟ ଧରି ରାସ୍ତାରେ ବୁଲିବା ପରେ ରାତି ହେବାକୁ ଅପେକ୍ଷା କରିଥିଲେ। ରାତି ୧ଟା ରୁ ୨ଟା ମଧ୍ୟରେ, ସେ ରାସ୍ତା କଡ଼ରେ କାରର ପଛ ସିଟରେ ଶୋଇଥିବା ତାଙ୍କ ଝିଅକୁ ଗଳାକାଟି ହତ୍ୟା କରିଥିଲେ। କେହି ଯେପରି ମୃତଦେହକୁ ଚିହ୍ନି ନ ପାରିବେ, ସେଥିପାଇଁ ସେ ଝିଅର ମୁହଁରେ ଏସିଡ୍ ଢାଳି ଶବକୁ ଶାରଦା କେନାଲରେ ଫିଙ୍ଗି ଦେଇଥିଲେ।

ବିଜୟକୁ ବର୍ତ୍ତମାନ ପୋଲିସ ନିଜ ହେପାଜତକୁ ନେଇଛି। ଅଧିକ ତଦନ୍ତ ଜାରି ରହିଛି।