ବିରୁଟ, ୨୭/୦୪: ରବିବାର ଦିନ ଦକ୍ଷିଣ ଲେବାନନରେ ଇସ୍ରାଏଲୀ ଆକ୍ରମଣରେ ଦୁଇ ଶିଶୁ ଓ ଦୁଇ ମହିଳା ସମେତ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପୂର୍ବରୁ ସେଠାର ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସତର୍କ କରିଥିଲା। ପରେ IDF କହିଛି ଯେ ସେମାନେ ହିଜବୁଲ୍ଲାର ଆଡ୍ଡାକୁ ଟାର୍ଗେଟ୍ କରି ବିମାନ ଆକ୍ରମଣ କରିଛି।
ଏହି ସମୟରେ ହିଜବୁଲ୍ଲାର ଡ୍ରୋନ ଆକ୍ରମଣରେ ଜଣେ ୧୯ ବର୍ଷୀୟ IDF ସୈନିକଙ୍କ ମୃତ୍ୟୁ ହୋଇଥିବା ସହ ଛଅ ଜଣ ଆହତ ହୋଇଛନ୍ତି। ହିଜବୁଲ୍ଲା ଇସ୍ରାଏଲ ଆଡକୁ ତିନୋଟି ଡ୍ରୋନ ପଠାଇଥିଲେ, ଯାହାକୁ ଇସ୍ରାଏଲୀ ବାୟୁସେନା ଧ୍ୱଂସ କରିଥିବା ଦାବି କରିଛି।
ଏହି ସବୁ ଘଟଣା ସତ୍ତ୍ୱେ ଦୁଇ ପକ୍ଷ ମଧ୍ୟରେ ଅସ୍ଥାୟୀ ଅସ୍ତ୍ରବିରତି ଚାଲିଛି, କିନ୍ତୁ ଉଭୟ ପକ୍ଷ ପରସ୍ପରଙ୍କୁ ଚୁକ୍ତି ଉଲ୍ଲଂଘନର ଅଭିଯୋଗ କରୁଛନ୍ତି।
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ହିଜବୁଲ୍ଲା ଏହି ଆକ୍ରମଣ କରି ଅସ୍ତ୍ରବିରତିକୁ ଭାଙ୍ଗୁଛି ଏବଂ IDF ଆତ୍ମରକ୍ଷା ପାଇଁ କାର୍ଯ୍ୟ କରୁଛି।
ଅନ୍ୟପଟେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଘଚି ନିର୍ଦ୍ଦିଷ୍ଟ ରାଷ୍ଟ୍ର ଗସ୍ତରେ ଥିବାବେଳେ ଆମେରିକା ସହିତ ଆଲୋଚନା ପୁନଃ ଆରମ୍ଭ ନେଇ ଚର୍ଚ୍ଚା କରୁଛନ୍ତି।