ଅନୁପ୍ରବେଶ ରୋକିବାକୁ ଉଚ୍ଚସ୍ତରୀୟ କମିଟି ଗଠନ
ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରକାଶ ପ୍ରଭାକର ନାଓଲେକରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ
ନୂଆଦିଲ୍ଲୀ, ୨୬/୦୫: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଦେଶରେ ଅନୁପ୍ରବେଶ (infiltration) ରୋକିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାକୁ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମିକତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ ବର୍ଣ୍ଣନା କରିଛନ୍ତି।
ଏହି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଜଷ୍ଟିସ୍ ପ୍ରକାଶ ପ୍ରଭାକର ନାଓଲେକର ରହିଥିବା ବେଳେ ଜନଗଣନା କମିଶନର, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦୁର୍ଗା ଶଙ୍କର ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ, ପ୍ରସିଦ୍ଧ ଅର୍ଥନୀତିଜ୍ଞ ଡଃ ଶମିକା ରବି ଏହି କମିଟିର ସଦସ୍ୟ ରହିବେ। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏହି କମିଟିର ସଚିବ ରହିବେ।
ଏହି କମିଟି ଦେଶବ୍ୟାପୀ ଜନସଂଖ୍ୟା ପରିବର୍ତ୍ତନର ବିସ୍ତୃତ ଅଧ୍ୟୟନ କରିବ। ଏଥିରେ ଧର୍ମ, ସମାଜ ଏବଂ ଅଞ୍ଚଳ ଭିତ୍ତିରେ ପରିବର୍ତ୍ତନ, ଅନୁପ୍ରବେଶର ପ୍ରଭାବ, ସୁରକ୍ଷା ବିପଦ, ଆଇନ ଶୃଙ୍ଖଳା ଏବଂ ଆଦିବାସୀ ସମାଜ ଉପରେ ପ୍ରଭାବ ଆଦି ବିଷୟ ଅନ୍ତର୍ଭୁକ୍ତ ହେବ। କମିଟିକୁ ଏକ ବର୍ଷ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ୨୦୨୫ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ କମିଟି ଗଠନ ପାଇଁ କହିଥିଲେ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।