ବସରେ ଗଲେ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ଦରମା

୧୦% ଅଧିକ ଦରମା ପାଇବେ କର୍ମଚାରୀ

ନୂଆଦିଲ୍ଲୀ, ୧୦/୦୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଆନ୍ତର୍ଜାତିକ ତୈଳ ମୂଲ୍ୟ କ୍ରମାଗତ ଭାବେ ବଢ଼ୁଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ପ୍ରଭାବିତ ହେଉଛି। ଏହା ସହିତ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ମଧ୍ୟ ଗମ୍ଭୀର ରୂପ ଧାରଣ କରିଛି। ଏହି ଦୁଇଟି ମୁଖ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀମାନେ ନିଜ କାର୍ କିମ୍ବା ବାଇକ୍ ବ୍ୟବହାର କରି ଅଫିସ୍ ଯାତାୟାତ କରିବା ବଦଳରେ ମେଟ୍ରୋ ଓ ଡିଟିସି ବସ୍ ପରି ସାର୍ବଜନିକ ପରିବହନ ବ୍ୟବହାର କଲେ ଅତିରିକ୍ତ ଆର୍ଥିକ ଲାଭ ପାଇବେ।

ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ସରକାରୀ କର୍ମଚାରୀମାନେ ଯଦି ଅଫିସ୍ ଯାତାୟାତ ପାଇଁ କମନ୍ ମୋବିଲିଟି କାର୍ଡ୍ (Common Mobility Card) ବ୍ୟବହାର କରି ମେଟ୍ରୋ କିମ୍ବା ଡିଟିସି ବସ୍‌ରେ ଯାତ୍ରା କରିବେ ତେବେ ସେମାନଙ୍କୁ ପ୍ରଯୁଜ୍ୟ ପରିବହନ ଭତ୍ତା (Transport Allowance)ର ୧୦% ଅତିରିକ୍ତ ଇନସେଣ୍ଟିଭ୍ ପ୍ରଦାନ କରାଯିବ। ଏହି ଅତିରିକ୍ତ ରାଶି ସେମାନଙ୍କ ଦରମା ସହିତ ମିଶାଇ ଦିଆଯିବ।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମ୍ କରିବା। ବାୟୁ ପ୍ରଦୂଷଣ ହ୍ରାସ କରିବା। ଟ୍ରାଫିକ୍ ଜାମ୍ କମ୍ କରିବା ଏବଂ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।