ଉରି ସେକ୍ଟରରେ ବିସ୍ଫୋରଣ

ଦୁଇ ଯବାନ ସହିଦ

ନୂଆଦିଲ୍ଲୀ, ୧୦/୦୬: ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ହ୍ୟାଣ୍ଡ ଗ୍ରେନେଡ୍ ବିସ୍ଫୋରଣରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି।

ସୂଚନା ଅନୁଯାୟୀ, କମଲକୋଟ କ୍ୟାମ୍ପରେ ରୁଟିନ୍ ଉପକରଣ ହସ୍ତାନ୍ତରଣ (equipment handover) ସମୟରେ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ତୁରନ୍ତ ଶ୍ରୀନଗରର ୯୨ ବେସ୍ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଯାଇଛନ୍ତି। ସହିଦ ଯବାନ ହେଉଛନ୍ତି ଚଭନ୍ ବିକ୍ରମ୍ ବାଳକୃଷ୍ଣ ଯିଏକି ମହାରାଷ୍ଟ୍ରର ଐରୋଲି ନିବାସୀ। ଅନ୍ୟ ଜଣେ ହେଉଛନ୍ତି ଅର୍ଜୁନ୍ ଜାଧବ୍ ରାଜେନ୍ଦ୍ର ଯିଏକି ମହାରାଷ୍ଟ୍ରର ଶାହାପୁର ନିବାସୀ।

ଉଭୟ ଯବାନ ୮ ରାଷ୍ଟ୍ରୀୟ ରାଇଫଲ୍ସରେ କର୍ତ୍ତବ୍ୟରତ ଥିଲେ। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏହା ଏକ ଆକସ୍ମିକ ଘଟଣା ଏବଂ ଏଥିରେ କୌଣସି ଆତଙ୍କବାଦୀଙ୍କ ସମ୍ପୃକ୍ତି ନାହିଁ। ଘଟଣାର ପୂର୍ଣ୍ଣ ତଦନ୍ତ ପାଇଁ ଏକ କୋର୍ଟ୍ ଅଫ୍ ଇନକ୍ୱାୟାରୀ ଗଠନ କରାଯାଇଛି। ସେନା ମୁଖପାତ୍ର ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ସହିଦ ଯବାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।