କାବୁଲ୍, ୦୧/୦୭: ଳପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍ କରିଛି ଆଫଗାନିସ୍ତାନ। ଆଫଗାନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନର ବାଲୋଚିସ୍ତାନ୍ ଏବଂ ଖାଇବର୍ ପଖତୁନଖ୍ୱା ପ୍ରାନ୍ତରେ ଆଇଏସ୍ଆଇଏସ୍-କେ (ISIS-K) ଆତଙ୍କବାଦୀଙ୍କ ନିର୍ଦ୍ଦିଷ୍ଟ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏହି ହମଲାରେ ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଛି। ଆକ୍ରମଣରେ ଅନେକ ଆଇଏସ୍ଆଇଏସ୍-କେ ଆତଙ୍କୀ ନିହତ ହୋଇଥିବା କୁହାଯାଇଛି ଏବଂ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି। ଆଫଗାନ୍ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଆକ୍ରମଣରେ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ।
ରବିବାର ରାତିରେ ପାକିସ୍ତାନର ବାୟୁସେନା ଆଫଗାନିସ୍ତାନର ପୂର୍ବାଞ୍ଚଳରେ ପାକଟିଆ, ପାକଟିକା ଏବଂ ଖୋଷ୍ଟ ପ୍ରାନ୍ତରେ ଆକ୍ରମଣ କରିଥିଲା। ଆଫଗାନ୍ ଅଧିକାରୀମାନେ କହିଥିଲେ ଯେ, ପାକିସ୍ତାନର ଏହି ଆକ୍ରମଣରେ ୩୮ ଜଣ ଆଫଗାନ୍ ନାଗରିକ ନିହତ ହୋଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ସେମାନେ ଏହାକୁ ନାଗରିକଙ୍କ ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି।
ପାକିସ୍ତାନ କିନ୍ତୁ କହିଥିଲା ଯେ, ଏହି ଆକ୍ରମଣ ଟିଟିପି (ପାକିସ୍ତାନୀ ତାଲିବାନ୍) ଏବଂ ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କ ଠିକଣା ଉପରେ ଥିଲା ଏବଂ ସେମାନେ ଅନେକ ଆତଙ୍କୀଙ୍କୁ ନିହତ କରିଛନ୍ତି। ଏହି ଘଟଣା ଦୁଇ ଦେଶ ମଧ୍ୟରେ ସୀମାନ୍ତ ଉତ୍ତେଜନାକୁ ଆହୁରି ବଢ଼ାଇଛି।