ପ୍ରବଳ ବର୍ଷା ଆଶଙ୍କା, ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା
ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
ନୂଆପଡ଼ା, ୦୬/୦୭ (ସନ୍ତୋଷ କୁମାର ପଟ୍ଟନାୟକ): ନୂଆପଡ଼ା ଜିଲ୍ଲାରେ ପ୍ରକୃତିର ତାଣ୍ଡବ ଆଶଙ୍କା। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯିବା ସହ ନୂଆପଡ଼ାକୁ ‘ରେଡ୍ ଜୋନ୍’ (Red Zone) ଭାବେ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି।
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା (ଆଦେଶ ସଂଖ୍ୟା: ୪୬୮୦) ଅନୁଯାୟୀ, ଆଜି ଅର୍ଥାତ୍ ୦୬.୦୭.୨୦୨୬ (ସୋମବାର) ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ।
ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାର ସମସ୍ତ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବର୍ଷା ଯୋଗୁଁ ଯଦି କୌଣସି କ୍ଷୟକ୍ଷତି ହୁଏ, ତେବେ ତୁରନ୍ତ CRCC ଜରିଆରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO)ଙ୍କୁ ରିପୋର୍ଟ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ସୂଚନା ସମସ୍ତ ଶିକ୍ଷା ଅଧିକାରୀଙ୍କ ସମେତ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଓ OSEPA କୁ ମଧ୍ୟ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି। ପ୍ରବଳ ବର୍ଷାକୁ ଦେଖି ଲୋକମାନଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।