ଫିଫା ବିଶ୍ୱ କପରେ ଫିକ୍ସିଂ ! ଆୟୋଜକ କତାର ବିରୋଧରେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଫିଫା ବିଶ୍ୱ କପ ୨୦୨୨ ନଭେମ୍ୱର ୨୦ ରବିବାରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଦେଶ ଅଂଶଗ୍ରହଣ କରୁଛନ୍ତି । ଟିମ ଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ତେବେ ବିଶ୍ୱ କପ ଆରମ୍ଭ ହେବା ପୂର୍ବରୁ ଏହା ବିବାଦରେ ରହିଛି । ଆୟୋଜକ କତାର ଉପରେ ବିଶ୍ୱ କପ ମ୍ୟାଚ୍ ଫିକ୍ସ କରିବା ନେଇ ଅଭିଯୋଗ ଆସିଛି । କତାରର ପ୍ରଥମ ମ୍ୟାଚ ଇକ୍ୱାଡୋର ସହ ହେବ । ରିପୋର୍ଟ ଅନୁସାରେ, ମ୍ୟାଚ୍ ଜିତିବା ପାଇଁ ଇକ୍ୱାଡୋରକୁ ଲାଞ୍ଚ ଦେଇଛି କତାର । ବ୍ରିଟିଶ ମିଡିଲ ଇଷ୍ଟ ସେଣ୍ଟର ଫର୍ ଷ୍ଟଡିଜି ଏବଂ ରିସର୍ଚ୍ଚର ସ୍ଥାନୀୟ ନିର୍ଦ୍ଦେଶକ ଅମଜଦ ତାହାଙ୍କ ଅନୁସାରେ, ବିରୋଧୀ ଖେଳାଳିଙ୍କୁ କତାର ଲାଞ୍ଚି ଯାଚିଛି ।

ଅମଜଦ ତାହାଙ୍କ ଅନୁସାରେ, ଇକ୍ୱାଡୋରର ୮ ଜଣ ଖେଳାଳିଙ୍କୁ କତାର ଲାଞ୍ଚ ଯାଚିଥିଲା । ପ୍ରାୟ ୬୦ କୋଟି ଟଙ୍କା ଅଫର କରାଯାଇଥିଲା । ରିପୋର୍ଟରେ ମ୍ୟାଚର ପରିଣାମ କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ମ୍ୟାଚରେ କତାର ୧-୦ରେ ବିଜୟୀ ହେବ ଏବଂ ଏହି ଗୋଲ୍ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ହେବ । ତେବେ ଟୁର୍ଣ୍ଣାମେଣ୍ଟରେ ଫିକ୍ସିଂ ରୋକିବା ପାଇଁ ଏଫବିଆଇ ସହାୟତା ନେଉଛି ଫିଫା । ସ୍ପୋର୍ଟ ରଡାର ଅନୁସାରେ, ଚଳିତ ବର୍ଷ ଖେଳାଯିବାକୁ ଥିବା ପ୍ରାୟ ୬୦୦ ମ୍ୟାଚରେ ଫିକ୍ସିଂର ସମ୍ଭାବନା ରହିଛି ।

ଫିଫା ବିଶ୍ୱ କପ ୨୦୨୨ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ଲିଗ୍ ମ୍ୟାଚ ଖେଳାଯିବ । ଭଲ ପ୍ରଦର୍ଶନ କରିଥିବା ୧୬ ଟିମ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବେ । ପ୍ରାୟ ଏକ ମାସ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ଡିସେମ୍ୱର ୧୮ରେ ଖେଳାଯିବ ।