ଭାରତୀୟ ଅର୍ଥବ୍ୟବସ୍ଥା ଶୁଭ ଖବର, ବଢିଲା ଦେଶର ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଲାଗି ରହିଥିବା ହ୍ରାସରେ ଏବେ ବ୍ରେକ୍ ଲାଗିଛି । ନଭେମ୍ୱର ୧୧ରେ ଶେଷ ହୋଇଥିବା ସପ୍ତାହରେ ୧୪.୭୨ ବିଲିୟନ ଡଲାର ବଢି ଏହା ୫୪୪.୭୨ ବିଲିୟନ ଡଲାରରେ ପହଞ୍ଚିଛି । ୨୦୨୧ ଅଗଷ୍ଟ ପରେ ଏହା ସବୁଠୁ ବଡ଼ ବୃଦ୍ଧି ଅଟେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଶନିବାର ଏହି ସୂଚନା ଦେଇଛି । ତେବେ ମାର୍ଚ୍ଚ ପରଠାରୁ ବିଦେଶୀ ମୁଦ୍ରା ଭଣ୍ଡାରରେ ୧୧୦ ବିଲିୟନ ଡଲାରରୁ ଅଧିକ ହ୍ରାସ ଘଟି ସାରିଛି । ବୈଶ୍ୱକ ଅସ୍ଥିରତା ମଧ୍ୟରେ ଆରବିଆଇ ଦ୍ୱାରା ଟଙ୍କାକୁ ମଜଭୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଏହାକୁ କମ କରିଛି ।

ଆରବିଆଇର ପରିସଂଖ୍ୟନ ଅନୁସାରେ ନଭେମ୍ୱର ୧୧ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୧୪.୭୨  ବିଲିୟନ ଡଲାର ବଢି ୫୪୪.୭୨ ବିଲିୟନ ଡଲାର ହୋଇଛି । ନଭେମ୍ୱର ୪ରେ ଏହା ୫୨୯.୯୯ ବିଲିୟନ ଡଲାର ସ୍ତରରେ ଥିଲା ।

କେନ୍ଦ୍ରୀୟ ବ୍ୟାଙ୍କ କହିଛି ସମୀକ୍ଷାଧିନ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି(ଏଫସିଏ) ୧୧.୮ ବିଲିୟନ ଡଲାର ବଢି ୪୮୨.୫୩ ବିଲିୟନ ଡଲାର ହୋଇଛି । ଅନ୍ୟପଟେ ସୁନା ଭଣ୍ଡାରର ମୂଲ୍ୟ ୨.୬୪ ବିଲିୟନ ଡଲାର ବଢି ୩୯.୭୦ ବିଲିୟନ ଡଲାର ହୋଇଛି । ଆରବିଆଇର ଆର୍ଥିକ ବଜାର ପରିଚାଳନ ବିଭାଗର ସୌରଭ ନାଥ, ବିକ୍ରମ ରାଜପୁତ ଏବଂ ଗୋପାଳକୃଷ୍ଣନ ଏସଙ୍କ  ଅଧ୍ୟୟନରେ କୁହାଯାଇଥିଲା ଯେ, ୨୦୦୮-୦୯ର ଆର୍ଥିକ ସଂକଟ ସମୟରେ ମୁଦ୍ରା ଭଣ୍ଡାର ୨୨ ପ୍ରତିଶତ କମ ହୋଇଥିଲା । ୟୁକ୍ରେନ-ରୁଷ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ମୁଦ୍ରା ଭଣ୍ଡାର କେବଳ ଛଅ ପ୍ରତିଶତ କମ ହୋଇଛି।