ଯୁଦ୍ଧ ନିଆଁରେ ଜଳୁଛି ହର୍ମୁଜ: ଜାହାଜକୁ ଟାର୍ଗେଟ

ବନ୍ଦର ଖାମିରର ଦୁଇ ବ୍ରିଜ୍ ଧ୍ୱଂସ; ୭ ମୃତାହତ ଆଶଙ୍କା

ତେହେରାନ, ୧୮/୦୭: ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ରେ ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଆହୁରି ବଢ଼ିଛି। ଇରାନୀୟ ରେଭୋଲ୍ୟୁସନାରୀ ଗାର୍ଡ୍ କର୍ପସ୍ (IRGC) ଆମେରିକାର ସୁରକ୍ଷା ତଳେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବା ସହ ମାଇନ୍ ବିସ୍ଫୋରଣ ଘଟାଇବା ଦ୍ୱାରା ଦୁଇଟି ଟ୍ୟାଙ୍କର୍ ଜଳିଯାଇଛି। ଏହା ସହିତ ଆମେରିକାର କ୍ରମାଗତ ସପ୍ତମ ଦିନର ଆକ୍ରମଣରେ ବନ୍ଦର ଖାମିର୍ ର ଦୁଇଟି ବ୍ରିଜ୍ ଧ୍ୱଂସ ହୋଇଛି ଏବଂ ସେଠାରେ ୭ ଜଣଙ୍କ ମୃତାହତର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, IRGC ବାହିନୀ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ରେ ଆମେରିକୀୟ ପ୍ରୋଟେକ୍ସନ୍ ରେ ଚାଲିଥିବା ଚାରିଟି ଜାହାଜକୁ ଅଟକାଇଛି। ଏହି ଅଞ୍ଚଳରେ ଇରାନ୍ ପୂର୍ବରୁ ଜାହାଜ ଗତିବିଧି ଉପରେ ନିୟନ୍ତ୍ରଣ ଲଗାଇବାର ଘୋଷଣା କରିଥିଲା ଏବଂ ବିନା ଅନୁମତିରେ ଯାଉଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରୁଥିଲା। ଏହି ଘଟଣା ପରେ ବିଛାଯାଇଥିବା ମାଇନ୍ ଗୁଡ଼ିକର ବିସ୍ଫୋରଣରେ ଦୁଇଟି ଟ୍ୟାଙ୍କର୍ ଜଳିଯାଇଛି। ଏହା ଦ୍ୱାରା ଆଞ୍ଚଳିକ ଜାହାଜ ପରିବହନ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିଛି।

ଆମେରିକା ଏହି ଘଟଣାକୁ ଇରାନର ଆକ୍ରମଣାତ୍ମକ କାର୍ଯ୍ୟ ବୋଲି ବର୍ଣ୍ଣନା କରି ଇରାନ୍ ଉପରେ କ୍ରମାଗତ ଆକ୍ରମଣ ଜାରି ରଖିଛି। ମିସାଇଲ୍ ଆକ୍ରମଣରେ ବନ୍ଦର ଖାମିର୍ ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଏହି ଆକ୍ରମଣରେ ପ୍ରାୟ ୭ ଜଣ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ବ୍ରିଜ୍ ଗୁଡ଼ିକ ଉପରେ ଯାତାୟାତ କରୁଥିବା ଲୋକଙ୍କର ହିଁ ମୃତ୍ୟୁ ହୋଇଛି।