ବ୍ୟାଙ୍କକ, ୦୭/୦୮: ଶୁକ୍ରବାର ସକାଳେ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍ର ଉତ୍ତର-ପଶ୍ଚିମରେ ଥିବା ନନ୍ଥାବୁରି ପ୍ରଦେଶର ବ୍ୟାଙ୍ଗ କ୍ରୁଆଇ ଜିଲ୍ଲାରେ ଡେବସିରିନ ନନ୍ଥାବୁରି ସ୍କୁଲରେ ଏକ ଭୟଙ୍କର ଗୁଳିମାଡ଼ ଘଟିଛି। ଆକ୍ରମଣକାରୀ ଜଣେ ନବମ ଶ୍ରେଣୀ ଛାତ୍ର ଥିଲେ।
ପୋଲିସ ସୂଚନା ଅନୁସାରେ ଆକ୍ରମଣକାରୀ ପ୍ରଥମେ ନିଜ ଘରେ (ବ୍ୟାଙ୍ଗ ବୁଆ ଥଙ୍ଗ ଅଞ୍ଚଳରେ) ଜେଜେବାପା ଓ ଜେଜେମାଆଙ୍କୁ ହତ୍ୟା କରିଥିଲେ। ସେ ଜେଜେବାପାଙ୍କ ନାମରେ ପଞ୍ଜୀକୃତ ଏକ CZ ୯ମିମି ହ୍ୟାଣ୍ଡଗନ୍ ବ୍ୟବହାର କରିଥିଲେ। ତା’ପରେ ସେ ସ୍କୁଲରେ ପ୍ରବେଶ କରି ଗୁଳିମାଡ କରିଥିଲେ। ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟାଇଥିଲା। ସେ ପ୍ରାୟ ୨୬ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଆହୁରି ୩୪ ରାଉଣ୍ଡ ଗୋଳି ଘଟଣାସ୍ଥଳରୁ ଉଦ୍ଧାର ହୋଇଛି।
ସ୍କୁଲରେ ଗୁଳିମାଡ଼ ପରେ ଆକ୍ରମଣକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଛି।
ସ୍କୁଲରେ ପ୍ରାୟ ୩ ଜଣ ଶିକ୍ଷକ ଓ ୩ ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି। ଜେଜେବାପା-ଜେଜେମାଆ ମିଶି ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ ୮ରେ ପହଞ୍ଚିଛି।
ସ୍କୁଲରେ ପ୍ରାୟ ୩,୧୦୦ ଛାତ୍ର ଓ ୧୪୭ ଶିକ୍ଷକ ଥିଲେ। ଗୁଳିମାଡ଼ ଦେଖି ଭୟରେ ଛାତ୍ରମାନେ ଡେସ୍କ ତଳେ ଲୁଚି ରହିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ତେବେ ଆକ୍ରମଣର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ତଦନ୍ତ ଚଳାଉଛି।