ଲକ୍ଷ୍ନୌ, ୦୬/୦୮: ଦିନକୁ ଦିନ ମଣିଷ ମାନବିକତାହୀନ ହୋଇଯାଉଛି। ସମ୍ବେଦନଶୀଳ ବୋଲି ଏକ ଶବ୍ଦ ମଣିଷ ଭିତରେ ଅଭାବ ଦେଖାଦେଉଛି। ଯେଉଁଠି ବିଶ୍ୱାସ ନାଁରେ ସମ୍ପର୍କ ଗଢିବା କଥା, ସେଠାରେ ବିଶ୍ୱାସରେ ବିଷ ଦେଇ ସମ୍ପର୍କରେ କଳଙ୍କ ଛିଟା ବୋଳୁଛି। ମାତ୍ର କିଛିଟା ଟଙ୍କା ପାଇଁ ଭୁଲି ଯାଉଛି ସମ୍ପର୍କର ସମ୍ମାନ। ଟଙ୍କା ଲୋଭରେ ମଣିଷ କେତେ ଯେ ତଳକୁ ଖସି ଯାଇପାରେ, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।
ଉତ୍ତର ପ୍ରଦେଶର ହମିରପୁରରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଗାଡ଼ି ତଳେ ଚାପି ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣା ଭାବେ ଦେଖାଇବାକୁ ଚେଷ୍ଟା କରିଛି। କିନ୍ତୁ ତାହା ତିଷ୍ଠି ରହି ପାରିଲା ନାହିଁ। ଆଉ ଏହି ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ହତ୍ୟାକାରୀ ସ୍ୱାମୀର ମାତ୍ର ଗୋଟିଏ ଉଦ୍ଦେଶ୍ୟ ଥିଲା ୪୪ ଲକ୍ଷ ଟଙ୍କାର ଜୀବନ ବୀମା ହାତେଇବା। ଯେଉଁଥିପାଇଁ ସେ ନେଇଥିଲା ଏଭଳି ଲୋମହର୍ଷଣକାରୀ ପଦକ୍ଷେପ।
୨୦୨୬ ଜୁଲାଇ ୨୯ ରାତିରେ ହମିରପୁର ଜିଲ୍ଲାର ଲାଲପୁରା ଥାନା ଅନ୍ତର୍ଗତ ପୌଧିୟା ଗାଁ ନିକଟରେ ରୀତା (୩୨)ଙ୍କ ମୃତଦେହ ମିଳିଥିଲା। ଚାଷୀମାନେ ସନ୍ଧ୍ୟାରେ କ୍ଷେତକାମ ସାରି ଫେରିବା ବେଳେ ରୀତାଙ୍କ ମୃତଦେହ ଦେଖିଥିଲେ। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ମନେ କରାଯାଉଥିଲା।
ପୋଷ୍ଟମର୍ଟମରେ ରୀତାଙ୍କ ଶରୀରରେ ୧୨ରୁ ଅଧିକ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ତଦନ୍ତ। ପୋଲିସ୍ ତଦନ୍ତରେ ଜଣାପଡ଼ିଥିଲା ଯେ ଏହା ଏକ ପ୍ରି-ପ୍ଲାନିଂ ମର୍ଡ଼ର।
ସ୍ୱାମୀ ଅମର ସିଂହ (୪୦) ଓ ତାଙ୍କ ତିନି ସହଯୋଗୀ — ଅମିତ ଗୁପ୍ତା (ରାମ), ପୁଷ୍ପେନ୍ଦ୍ର ସୋନୀ (ସାହିଲ) ଓ ଅଭୟ ସିଂହ (ଗୋଲୁ) ମିଳିତ ଭାବେ ଏହି ଷଡ଼ଯନ୍ତ୍ର ରଚିଥିଲେ।
ଅମର ରୀତାଙ୍କୁ କାମ ବାହାନାରେ ସେହି ରାସ୍ତାକୁ ନେଇଯାଇଥିଲେ। ସହଯୋଗୀମାନେ ଗାଡ଼ିରେ ଆସି ପ୍ରଥମେ ତାଙ୍କୁ ସାଇଡ ମାରିଥିଲେ। ଯାହା ପରେ ରୀତା ଖାଲରେ ପଡିଯାଇଥିଲେ।
ତା’ପରେ ତାଙ୍କୁ ଖାଲରୁ ଉଠାଇ ରାସ୍ତା ଉପରେ ରଖି ପୁଣି ଗାଡ଼ି ଚଢାଇ ମାରିଦେଇଥିଲେ। ଯେମିତିକି ଏହା ହିଟ୍-ଆଣ୍ଡ-ରନ୍ ଦୁର୍ଘଟଣା ଭଳି ଦେଖାଯାଏ। ଏହା ପରେ ସେମାନେ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ ଏବଂ ଅମର ଥାନାରେ ରୀତା ନିଖୋଜ ହେବାର ମିଛ ଅଭିଯୋଗ ଦାଖଲ କରିଥିଲା। କିନ୍ତୁ ସେ ଜାଣିନଥିଲା ସେ ନିଜେ ଖୋଲିଥିବା ଗାତରେ ନିଜେ ହିଁ ପଡ଼ିବ।
ଘଟଣାରୁ ଜଣାପଡ଼ିଥିଲା ଯେ, ପ୍ରାୟ ଦୁଇ ମାସ ପୂର୍ବରୁ ରୀତାଙ୍କ ନାମରେ ୪୪ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି କରିଥିଲା ଅମର। ପ୍ରଥମ ପ୍ରିମିୟମ୍ ଭାବେ ପ୍ରାୟ ୨.୬୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଅମର ଉପରେ ଋଣ ଥିଲା। ତେଣୁ ବୀମା ଟଙ୍କାରୁ ଋଣ ପରିଶୋଧ କରିବା ଯୋଜନା ଥିଲା। ଅମର ୧୫ରୁ ୨୦ ଲକ୍ଷ ପାଇବ ଏବଂ ବାକି ଅନ୍ୟମାନଙ୍କ ମଧ୍ୟରେ ବଣ୍ଟାଯିବ ବୋଲି ପ୍ଲାନିଂ ହୋଇଥିଲା। କିନ୍ତୁ ଘଟଣା ଘଟିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ହିଁ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଅଢେ଼ଇ ବର୍ଷ ପୂର୍ବେ ରୀତା ଓ ଅମରଙ୍କ ପ୍ରେମ ବିବାହ ହୋଇଥିଲା। ଏହା ରୀତାଙ୍କ ଦ୍ୱିତୀୟ ବିବାହ ଏବଂ ଅମରଙ୍କ ତୃତୀୟ ବିବାହ ବୋଲି କୁହାଯାଇଛି।