‘ଜଣଙ୍କ ଉପରେ ଆକ୍ରମଣ, ସମସ୍ତଙ୍କ ଉପରେ ଆକ୍ରମଣ ସହ ସମାନ’

ତିନି ଇସ୍ଲାମିକ ରାଷ୍ଟ୍ର ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ, ୦୭/୦୮: ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ “ମକ୍କା ଜଏଣ୍ଟ ଡିଫେନ୍ସ ଆଗ୍ରିମେଣ୍ଟ” ସ୍ୱାକ୍ଷର କରିଛନ୍ତି। ଶୁକ୍ରବାର ମକ୍କାରେ ଏହି ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ସାଉଦି କ୍ରାଉନ୍ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଏବଂ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏହାକୁ “ମକ୍କା ଜଏଣ୍ଟ ଡିଫେନ୍ସ ଆଗ୍ରିମେଣ୍ଟ” ବୋଲି ନାମିତ କରିଛି।

ଏହି ଚୁକ୍ତି ପରସ୍ପରର ସୁରକ୍ଷା ଦିଗରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ପାଇଁ ହୋଇଛି। ଯେକୌଣସି ଆକ୍ରମଣ ବିରୋଧରେ ସାମୂହିକ ନିରୋଧକ ଶକ୍ତି ବଢ଼ାଇବା ପାଇଁ ଏହା ଉଦ୍ଦିଷ୍ଟ। ତିନୋଟି ରାଷ୍ଟ୍ର ମଧ୍ୟରୁ କୌଣସି ଗୋଟିଏ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହା ତିନୋଟି ଉପରେ ଆକ୍ରମଣ ବୋଲି ଗଣାଯିବ। ନାଟୋର ଆର୍ଟିକଲ୍ ୫ ପରି କାର୍ଯ୍ୟ କରିବ।

ତିନୋଟି ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରର ସମସ୍ତ ଦିଗରେ ଯେପରିକି ଜଏଣ୍ଟ ଏକ୍ସରସାଇଜ୍, ଟେକ୍ନୋଲୋଜି ଟ୍ରାନ୍ସଫର୍, ଇଣ୍ଟେଲିଜେନ୍ସ ସେୟାରିଂ, ଡିଫେନ୍ସ ଇଣ୍ଡଷ୍ଟ୍ରି ଇତ୍ୟାଦି କ୍ଷେତ୍ରରେ ସହଯୋଗ ବଢ଼ାଇବାର ବ୍ୟବସ୍ଥା ରହିଛି।

ତୁର୍କୀ ପକ୍ଷରୁ କୁହାଯାଇଛି ଯେ ଏହି ଚୁକ୍ତି ପ୍ରତିରକ୍ଷାମୂଳକ ଓ କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ ନୁହେଁ। ଏହା ଅନ୍ୟ ଆଞ୍ଚଳିକ ଦେଶଗୁଡ଼ିକ ପାଇଁ ମଧ୍ୟ ଖୋଲା ରହିବ।

ସୂଚନାଯୋଗ୍ୟ, ଏହି ଚୁକ୍ତି ୨୦୨୫ ସେପ୍ଟେମ୍ବର ୧୭ରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ଷ୍ଟ୍ରାଟେଜିକ ମ୍ୟୁଚୁଆଲ ଡିଫେନ୍ସ ଆଗ୍ରୀମେଣ୍ଟ ଉପରେ ଆଧାରିତ। ସେହି ଦ୍ୱିପାକ୍ଷିକ ଚୁକ୍ତିରେ ମଧ୍ୟ “ଗୋଟିଏ ଉପରେ ଆକ୍ରମଣ, ଦୁଇଟି ଉପରେ ଆକ୍ରମଣ” ବ୍ୟବସ୍ଥା ଥିଲା। ଏହି ତ୍ରିପାକ୍ଷିକ ଚୁକ୍ତି ପାଇଁ ପ୍ରାୟ ଏକ ବର୍ଷ ଧରି ଆଲୋଚନା ଚାଲୁଥିଲା। ଏହି ଚୁକ୍ତିକୁ ଇସ୍ଲାମିକ ନାଟୋ ଭାବେ ମଧ୍ୟ ଗଣନା କରୁଛନ୍ତି।

ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଏବେ ଗଲ୍ଫ ରାଷ୍ଟ୍ର ଗୁଡିକରେ ମଧ୍ୟ ଆକ୍ରମଣ ହେଉଛି। ଏହି କ୍ଷେତ୍ରରେ ପରସ୍ପରକୁ ସହାୟତା କରିବେ ଏହି ରାଷ୍ଟ୍ର।