ବେଙ୍ଗାଲୁରୁ, ୧୦/୦୮: ବେଙ୍ଗାଲୁରୁରେ ଗତ କିଛି ଦିନ ଧରି ଫୁଡ୍ ସେଫଟି ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଉଛି। ବିଭିନ୍ନ ପାଞ୍ଚ ତାରକା ଓ ତିନି ତାରକା ହୋଟେଲରେ ଅତର୍କିତ ଚଢ଼ାଉ କରିଛି ଫୁଡ୍ ସେଫଟି ଡିପାର୍ଟମେଣ୍ଟ। ଏହି ସମୟରେ ବିଭିନ୍ନ ହୋଟେଲରୁ ଏକ୍ସପାୟାର୍ଡ ପ୍ୟାକେଟ୍ ଖାଦ୍ୟ, ପଚା ମାଛ ଓ ମାଂସ ଜବତ କରାଯାଇଛି। ଏହା ମଧ୍ୟରେ ସହରର ଏକ ହାଇ ପ୍ରୋଫାଇଲ୍ ପବ୍ ସ୍କାଏ ଲାଉଞ୍ଜକୁ ଖାଦ୍ୟ ସୁରକ୍ଷା ବିଭାଗ ବନ୍ଦ କରିଛି। ୟୁବି ସିଟି ମଲ୍ର ୧୬ତମ ମହଲାରେ ଥିବା ଏହି ରୁଫ୍ଟପ୍ ପବ୍ର କିଚେନରେ ୪୫ କିଲୋଗ୍ରାମ୍ ପଚା ମାଂସ ଏବଂ ଏକ୍ସପାୟାର୍ଡ ହୋଇଯାଇଥିବା କ୍ଷୀର ଓ ଦହି ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
କର୍ଣ୍ଣାଟକ ଫୁଡ୍ ସେଫ୍ଟି ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ବିଭାଗର ଅଧିକାରୀମାନେ ହଠାତ୍ ଚଢ଼ାଉ କରିଥିଲେ। ସେଠାରେ ଫିମ୍ପି ମାରି ଯାଇଥିବା ପଚା ଚିକେନ୍ ଓ ବିଫ୍ ୪୫ କିଲୋଗ୍ରାମ୍, ଅଖାଦ୍ୟ ଭେଜିଟେବଲ୍ କଟଲେଟ୍ ୬ କିଲୋଗ୍ରାମ୍ ଏବଂ ପ୍ରାୟ ୧୦ ଦିନ ପୂର୍ବରୁ ଏକ୍ସପାୟାର୍ଡ ହୋଇଯାଇଥିବା କ୍ଷୀର ଓ ଦହି ମିଳିଥିଲା। କିଚେନ ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ ଥିଲା। ମୋଟ ୫୧ କିଲୋଗ୍ରାମ୍ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଛି ଏବଂ ୧୫ ଲିଟର୍ ବ୍ୟବହୃତ ରନ୍ଧନ ତେଲ ଜବତ କରାଯାଇଛି।
ସେହିପରି ରୟାଲ୍ ଚେନ୍ ହୋଟେଲରେ ଅଧିକାରୀମାନେ ୫୦ କିଲୋଗ୍ରାମ ଚିକେନ ଏବଂ ୫ କିଲୋଗ୍ରାମ ପଚା ମାଛ ଜବତ କରିଥିଲେ। ସେଞ୍ଚେଜ୍ ହୋଟେଲରେ, ଅଧିକାରୀମାନେ ୩ କିଲୋଗ୍ରାମ ମାଛ ଜବତ କରିଥିଲେ।
ଏବେ ଯାଏଁ ଚଢ଼ାଉ ହେବା ଭିତରେ ବିଭିନ୍ନ ତାରକା ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ରୁ ୭୦ କିଲୋଗ୍ରାମ ସୋୟା ସସ୍ ଏବଂ ୧୫ ଲିଟର ବ୍ୟବହୃତ ରନ୍ଧନ ତେଲ ସମେତ ୧୩୨ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଚର୍ଚ୍ଚ ଷ୍ଟ୍ରିଟ୍ର ଅନ୍ୟ ଏକ ପବ୍ରେ ମଧ୍ୟ ଏକ୍ସପାୟାର୍ଡ ହୋଇଯାଇଥିବା କ୍ରିମ୍, ପଚା ଛତୁ ଏବଂ ଚିଜ୍ରେ ମଲା ଅସରପା ପଡ଼ିଥିବା ଦେଖିବାକୁ ମିଳିଥିଲା ଅଧିକାରୀମାନେ ଫୁଡ୍ ସେଫ୍ଟି ଆକ୍ଟ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଏବଂ ନମୁନା ଲ୍ୟାବ୍ରେ ପରୀକ୍ଷା ପାଇଁ ପଠାଯାଇଛି। ଏହି ଚଢ଼ାଉ ଅଭିଯାନ ଜାରି ରହିଛି। ଅଗଷ୍ଟ ୮ ତାରିଖରୁ ୩୦ ଟି ଟିମ୍ ଗଠନ କରାଯାଇ ଏହି ଚଢ଼ାଉ କରାଯାଉଛି।