ତାଣ୍ଡବ ରଚିଲା ‘ଡଲଫିନ’, ୧୫୦ କି.ମି. ବେଗରେ ମାଡ଼ି ଆସିଲା

୧୦ ଲକ୍ଷ ଲୋକ ସ୍ଥାନାନ୍ତରିତ, ୧୪୦୦ରୁ ଅଧିକ ଫ୍ଲାଇଟ ବାତିଲ

ବେଜିଂ, ୧୦/୦୮: ଚୀନର ପୂର୍ବ ଉପକୂଳରେ ତାଣ୍ଡବ ରଚିଛି ଟାଇଫୁନ୍ ଡଲଫିନ୍। ଟାଇଫୁନର ପ୍ରଭାବ ଏତେ ଜୋର ଥିଲା ଯେ, ସବୁ କିଛି ଧ୍ୱଂସ ବିଧ୍ୱଂସ କରିଦେଇଥି। ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସାଙ୍ଘାଇରେ ପ୍ରାୟ ୧,୪୦୦ ଫ୍ଲାଇଟ୍ ବାତିଲ ହୋଇଛି।

ଅଗଷ୍ଟ ୯, ୨୦୨୬ ସନ୍ଧ୍ୟାରେ ଏହି ଟାଇଫୁନ୍ ଚୀନର ଝେଜିଆଙ୍ଗ୍ ପ୍ରଦେଶର ୟୁହୁଆନ୍ ନିକଟରେ ପ୍ରଥମ ଲ୍ୟାଣ୍ଡଫଲ୍ କରିଥିଲା। ସେତେବେଳେ ଏହାର ସର୍ବାଧିକ ପବନ ଗତି ପ୍ରାୟ ୧୫୦-୧୫୧ କିମି ପ୍ରତି ଘଣ୍ଟା ଥିଲା। ପ୍ରାୟ ଏକ ଘଣ୍ଟା ପରେ ଏହା ୱେନଝୋଉ ସହର ନିକଟରେ ଦ୍ୱିତୀୟ ଥର ଆଘାତ କରିଥିଲା। ଏହା ଚଳିତ ବର୍ଷ ଚୀନକୁ ଆଘାତ କରିଥିବା ସବୁଠାରୁ ଶକ୍ତିଶାଳୀ ଉଷ୍ଣକଟିବନ୍ଧୀୟ ଘୂର୍ଣ୍ଣିବାତ୍ୟା।

ଚୀନ ସରକାର ଏଥି ପାଇଁ ସାରା ଦେଶରେ ହାଇ ଆଲର୍ଟ ଜାରି କରିଛନ୍ତି। ସୋମବାର ସକାଳ ସୁଦ୍ଧା ଏହାକୁ ଟ୍ରପିକାଲ୍ ଷ୍ଟର୍ମ୍ ଭାବେ ଡାଉନଗ୍ରେଡ୍ କରାଯାଇଛି, କିନ୍ତୁ ଏହା ଭୂଭାଗ ଆଡ଼କୁ ଗତି କରୁଛି ଏବଂ ବୁଧବାର ପର୍ଯ୍ୟନ୍ତ ଭାରି ବର୍ଷା, ବନ୍ୟା ଓ ଭୂସ୍ଖଳନର ଆଶଙ୍କା ରହିଛି।

ଟାଇଫୁନ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।ୱେନଝୋଉରେ ପ୍ରାୟ ୯ ଲକ୍ଷ, ତାଇଝୋଉରେ ପ୍ରାୟ ୩.୯ ଲକ୍ଷ ଏବଂ ଫୁଜିଆନ୍ ପ୍ରଦେଶରେ ପ୍ରାୟ ୯୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସାଙ୍ଘାଇରେ ଅତି କମରେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ଜରୁରୀକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି।

ସାଙ୍ଘାଇରେ ପ୍ରାୟ ୧,୪୦୦ ଫ୍ଲାଇଟ୍ ବାତିଲ ହୋଇଛି। ହଙ୍ଗକିଆଓ ଓ ପୁଡୋଙ୍ଗ୍ ବିମାନବନ୍ଦରରେ ସୋମବାରର ପ୍ରାୟ ୬୦% ଫ୍ଲାଇଟ୍ ପ୍ରଭାବିତ ହୋଇଛି। ହାଙ୍ଗଝୋଉ ବିମାନବନ୍ଦରରେ ୨୭୦ରୁ ଅଧିକ ଫ୍ଲାଇଟ୍ ବାତିଲ ହୋଇଛି।ଟ୍ରକ, ରେଳ ସେବା ଓ ବସ୍ ସେବା ମଧ୍ୟ ଅନେକ ରୁଟ୍‌ରେ ବନ୍ଦ ରହିଛି।

ଆଗାମୀ କିଛି ଦିନ ଯାଏଁ ଝେଜିଆଙ୍ଗ୍, ସାଙ୍ଘାଇ, ଜିଆଙ୍ଗସୁ, ଆନହୁଇ, ହେନାନ୍, ହୁବେଇ, ଶାଣ୍ଡୋଙ୍ଗ୍ ଆଦି ପ୍ରଦେଶରେ ଭାରି ବର୍ଷା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଡିଜ୍ନିଲ୍ୟାଣ୍ଡ୍, ଲେଗୋଲ୍ୟାଣ୍ଡ୍ ଓ ସାଙ୍ଘାଇର ବଣ୍ଡ୍ ଅଞ୍ଚଳର କିଛି ଦର୍ଶନୀୟ ସ୍ଥାନ ବନ୍ଦ ରଖାଯାଇଛି। ଲୋକଙ୍କୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ଟାଇଫୁନ୍ ପୂର୍ବରୁ ଜାପାନର ଓକିନାୱା ଓ ତାଇୱାନ୍‌ର ଉତ୍ତରାଞ୍ଚଳକୁ ମଧ୍ୟ ପ୍ରଭାବିତ କରିଥିଲା।