୭.୭ ତୀବ୍ରତର ଶକ୍ତିଶାଳୀ ଭୂମିକମ୍ପ; ଅନେକ ଲୋକଙ୍କ ମୃତ୍ୟୁ
୨,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
ବାଲି, ୧୫/୦୮: ଇଣ୍ଡୋନେସିଆର ପୂର୍ବ ଉପକୂଳ ନିକଟରେ ଶନିବାର ଭୋର ସମୟରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୭ ଥିବା ଜଣାପଡ଼ିଛି। ଭୂକମ୍ପ ପରେ ଲଗାତାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ଅତିକମରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଇଣ୍ଡୋନେସିଆର ଭୂକମ୍ପ ଓ ପାଣିପାଗ ବିଜ୍ଞାନ ସଂସ୍ଥା ଅନୁସାରେ, ସ୍ଥାନୀୟ ସମୟ ଭୋର ୪ଟା ୫୮ ମିନିଟରେ ପ୍ରଥମ ଭୂକମ୍ପ ହୋଇଥିଲା। ଭୂକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୫ କିଲୋମିଟର ଗଭୀରରେ ଥିଲା। ଏହା ପରେ ଏକାଧିକ ମୃଦୁ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି।
ପୂର୍ବ ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଥିବା ମାଉମେରେ ଅଞ୍ଚଳରେ ଭୂକମ୍ପର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଉଦ୍ଧାରକାରୀ ଦଳ ଏଠାରେ ଅତିକମରେ ୨୦ଟି ମୃତଦେହ ଉଦ୍ଧାର କରିଛନ୍ତି। ଏଥିସହ ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ଭଙ୍ଗା କୋଠା ତଳେ ଫସିଥିବା ସୂଚନା ମିଳିଛି।
ଭୂକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ମାଉମେରେ ବନ୍ଦର ଅଞ୍ଚଳର ଏକ ଭିଡିଓରେ ଭୂକମ୍ପ ଝଟକାରେ ଏକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ୁଥିବା ଏବଂ ଲୋକମାନେ ଭୟରେ ଦୌଡ଼ୁଥିବା ଦେଖାଯାଇଛି।
ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଥିବା ନାଗେକିଓ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ତେବେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଛି। ଏଥି ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ପ୍ରାୟ ୨,୦୦୦ରୁ ଅଧିକ ଲୋକଙ୍କୁ ନାଗେକିଓରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ହେବା ସହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି।
ଭୂକମ୍ପ ପରେ କେତେକ ଅଞ୍ଚଳରେ ୧ ମିଟରରୁ କମ୍ ଉଚ୍ଚତାର ସୁନାମି ତରଙ୍ଗ ରେକର୍ଡ କରାଯାଇଥିଲା। ଏହାକୁ ନେଇ ପ୍ରଶାସନ ସତର୍କ ହୋଇ ସୁନାମି ଚେତାବନୀ ଜାରି କରିଥିଲା। ପରେ ପରିସ୍ଥିତିର ସମୀକ୍ଷା କରି ପ୍ରାୟ ୩ ଘଣ୍ଟା ପରେ ଚେତାବନୀ ପ୍ରତ୍ୟାହାର କରାଯାଇଛି।
ଭୂକମ୍ପ ଓ ପାଣିପାଗ ବିଜ୍ଞାନ ସଂସ୍ଥା ଅନୁସାରେ, ଏହି ସମାନ ଅଞ୍ଚଳରେ ୧୯୯୨ ମସିହାରେ ୭.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ସେତେବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏବେ ପୁଣି ବଡ଼ ଭୂକମ୍ପ ହେବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି।
ସୂଚନାଯୋଗ୍ୟ, ଇଣ୍ଡୋନେସିଆ ପ୍ୟାସିଫିକ୍ ରିଙ୍ଗ୍ ଅଫ୍ ଫାୟାର୍ ଅଞ୍ଚଳରେ ଅବସ୍ଥିତ। ଏଠାରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହ ମିଶିଥିବାରୁ ଭୂକମ୍ପ ଓ ଆଗ୍ନେୟଗିରି କାର୍ଯ୍ୟକଳାପର ଆଶଙ୍କା ଅଧିକ ରହିଥାଏ।