ନୂଆଦିଲ୍ଲୀ, ୧୫/୦୮: ବଳ ଗୋଟାଇ ମାଡ଼ି ଆସୁଛି ସୁପର ଏଲ୍ ନିନୋ। ପ୍ରଶାନ୍ତ ମହାସାଗରରେ ଦ୍ରୁତ ଭାବେ ଶକ୍ତିଶାଳୀ ହେଉଛି ଏଲ୍ ନିନୋ। ଆମେରିକାର ନ୍ୟାସନାଲ୍ ଓସିଆନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍ (NOAA)ର ନୂଆ ଆକଳନ ଅନୁସାରେ, ୨୦୨୬ର ଶୀତ ଋତୁରେ ଏହା ଅତ୍ୟନ୍ତ ଶକ୍ତିଶାଳୀ ରୂପ ନେବାର ସମ୍ଭାବନା ୯୦%ରୁ ଅଧିକ।
୧୩ ଅଗଷ୍ଟ ୨୦୨୬ରେ ଜାରି NOAAର ENSO ଆକଳନ ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଏଲ୍ ନିନୋ ଏକ ଐତିହାସିକ ଭାବେ ଶକ୍ତିଶାଳୀ ହେବାର ୬୯% ସମ୍ଭାବନା ରହିଛି। ଏହାକୁ ‘ଐତିହାସିକ’ ବୋଲି କୁହାଯାଉଛି , କାରଣ ୧୯୫୦ ପରଠାରୁ ରେକର୍ଡ ହୋଇଥିବା ଏଲ୍ ନିନୋ ଘଟଣାଗୁଡ଼ିକ ମଧ୍ୟରୁ ଚଳିତ ବର୍ଷ ଅତ୍ୟଧିକ ଶକ୍ତିଶାଳୀ ହେବାର ଅନୁମାନ କରାଯାଉଛି।
ଏଲ୍ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ପାଣିର ତାପମାତ୍ରା ସାଧାରଣଠାରୁ ଅସାଧାରଣ ଭାବେ ବଢ଼ିଯିବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା। ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠ ଓ ତାହାର ତଳଭାଗରେ ଅତିରିକ୍ତ ଉଷ୍ମତା ଜମା ହୋଇଛି। ପବନର ପରିବର୍ତ୍ତନ ସହ ଏହି ଗରମ ପାଣି ପୂର୍ବ ଦିଗକୁ ବଢ଼ିବା ଏଲ୍ ନିନୋକୁ ଆହୁରି ଶକ୍ତିଶାଳୀ କରୁଛି।
ଶକ୍ତିଶାଳୀ ଏଲ୍ ନିନୋ କେବଳ ପ୍ରଶାନ୍ତ ମହାସାଗରରେ ସୀମିତ ରହେ ନାହିଁ। ଏହା ବିଶ୍ୱର ବିଭିନ୍ନ ଅଞ୍ଚଳରେ ବର୍ଷା, ତାପମାତ୍ରା ଓ ପାଣିପାଗର ଧାରାକୁ ପ୍ରଭାବିତ କରିପାରେ। ବିଶ୍ୱ ପାଣିପାଗ ସଂଗଠନ (WMO) ମଧ୍ୟ ଏଲ୍ ନିନୋ ଯୋଗୁଁ ଆଗାମୀ ମାସଗୁଡ଼ିକରେ ଅତ୍ୟଧିକ ପାଣିପାଗ ଘଟଣାର ପରିବର୍ତ୍ତନ ହୋଇପାରେ ବୋଲି ସତର୍କ କରିଛି।
ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଅଧିକ ବର୍ଷା ଓ ବନ୍ୟା, ଆଉ କେତେକ ସ୍ଥାନରେ ଖରା ଓ ବର୍ଷା ଅଭାବ ଦେଖାଦେଇପାରେ। ତେବେ ଏଲ୍ ନିନୋର ପ୍ରଭାବ ପ୍ରତ୍ୟେକ ଦେଶ କିମ୍ବା ଅଞ୍ଚଳରେ ସମାନ ହେବ ନାହିଁ।
ଏଲ୍ ନିନୋ ଭାରତୀୟ ମୌସୁମୀ ବର୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଇତିହାସରେ ଶକ୍ତିଶାଳୀ ଏଲ୍ ନିନୋ ବର୍ଷଗୁଡ଼ିକରେ ଭାରତୀୟ ମୌସୁମୀ ବର୍ଷା ଦୁର୍ବଳ ହେବାର ଘଟଣା ଦେଖାଯାଇଛି। କିନ୍ତୁ ଏଲ୍ ନିନୋ ରହିଲେ ନିଶ୍ଚିତ ଭାବେ ଭାରତରେ ଖରା ବଢ଼ବ।
ବର୍ତ୍ତମାନ ଏଲ ନିନୋକୁ ‘ସୁପର ଏଲ୍ ନିନୋ’ ବୋଲି କୁହାଯାଉଛି। ୧୯୮୨-୮୩, ୧୯୯୭-୯୮ ଓ ୨୦୧୫-୧୬ ରେ ମଧ୍ୟ ସୁପର ଏଲ ନିନୋ ଆସିଥିଲା। କିନ୍ତୁ ଚଳିତ ଏହି ବିଗତ ବର୍ଷଠାରୁ ଆହୁରି ଅଧିକ ଶକ୍ତିଶାଳୀ ହେବ।