ପାର୍ଟି ଅଫିସରେ ଝୁଲିପଡି଼ଲେ ପୂର୍ବତନ ଉପବାଚସ୍ପତି

ମିଳିଲା ସୁଇସାଇଡ ନୋଟ୍

କୋଲକାତା, ୧୬/୦୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ରାମପୁରହାଟରେ ତୃଣମୂଳ କଂଗ୍ରେସ (ଟିଏମସି)ର ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ତାଙ୍କ ଘର ନିକଟସ୍ଥ ଟିଏମସି କାର୍ଯ୍ୟାଳୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଏକ ହାତଲେଖା ସୁଇସାଇଡ ନୋଟ୍‌ ମଧ୍ୟ ମିଳିଥିବା ପୋଲିସ କହିଛି।

ପୋଲିସ ସୂତ୍ର ଅନୁସାରେ, ବୀରଭୂମ ଜିଲ୍ଲାର ରାମପୁରହାଟ ଅଞ୍ଚଳର ହାଟତଳାପାଡ଼ାରେ ଆଶିଷ ବାନାର୍ଜୀଙ୍କ ଘର ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରୁ ତାଙ୍କ ମୃତଦେହ ମିଳିଥିଲା। ଖବର ପାଇ ରାମପୁରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଚାଲିଛି।

ଘଟଣାସ୍ଥଳରୁ ମିଳିଥିବା ଏକ ପୃଷ୍ଠାର ହାତଲେଖା ନୋଟ୍‌ ଏବେ ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ରିପୋର୍ଟ ଅନୁସାରେ, ସେଥିରେ ଆଶିଷ ବାନାର୍ଜୀ ନିଜକୁ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନଥିବା ସେହି ନୋଟରେ ଦାବି କରିଛନ୍ତି। ଟଙ୍କା ନେଇ କୌଣସି କାମ କରିଦେବାର ପ୍ରତିଶ୍ରୁତି ସେ କେବେ ଦେଇନଥିବା ମଧ୍ୟ ନୋଟ୍‌ରେ ଉଲ୍ଲେଖ ଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ନୋଟ୍‌ର ସତ୍ୟତା ଏବଂ ଏଥିରେ ଥିବା ଦାବିଗୁଡ଼ିକୁ ପୋଲିସ ଯାଞ୍ଚ କରୁଛି।

ଆଶିଷ ବାନାର୍ଜୀ ରାମପୁରହାଟ ଆସନରୁ ଦୀର୍ଘ ୨୫ ବର୍ଷ ଧରି ବିଧାୟକ ଥିଲେ। ୨୦୦୧ରୁ ୨୦୨୬ ପର୍ଯ୍ୟନ୍ତ ସେ ଲଗାତାର ପାଞ୍ଚଥର ଏହି ଆସନରୁ ବିଜୟୀ ହୋଇଥିଲେ। ମମତା ବାନାର୍ଜୀଙ୍କ ସରକାରରେ ସେ ବିଭିନ୍ନ ସମୟରେ ମନ୍ତ୍ରୀ ମଧ୍ୟ ରହିଥିଲେ ଏବଂ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଶିଷ ବାନାର୍ଜୀ ରାମପୁରହାଟ ଆସନରୁ ଟିଏମସି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ବିଜେପିର ଧ୍ରୁବ ସାହାଙ୍କଠାରୁ ସେ ୨୪ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ। ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ କିଛିଟା ଦୂରେଇ ଯାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଆଶିଷ ବାନାର୍ଜୀଙ୍କ ବିରୋଧରେ ତାରାପୀଠ ଉନ୍ନୟନ ପରିଷଦ ଏବଂ ରାମପୁରହାଟ ପୌରସଂସ୍ଥା ସହ ଜଡ଼ିତ କିଛି ଦୁର୍ନୀତି ଅଭିଯୋଗ ଉଠିଥିଲା। ବିଶେଷକରି ତାରାପୀଠ ଉନ୍ନୟନ ପରିଷଦରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ତେବେ ଏସବୁ ଅଭିଯୋଗ ପ୍ରମାଣିତ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ।