ବାରଣାସୀ, ୧୬/୦୮: ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ବିମାନବନ୍ଦରରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏୟାର ଇଣ୍ଡିଆର ଜଣେ ଯାତ୍ରୀଙ୍କ ଅସ୍ତ୍ରଶସ୍ତ୍ର ଯାଞ୍ଚ ସମୟରେ ହଠାତ୍ ଗୁଳି ଫୁଟିବାରୁ ଦୁଇଜଣ ବିମାନବନ୍ଦର କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ଅଛନ୍ତି।
ସୂଚନା ଅନୁସାରେ, ଆଜମଗଡ଼ର ଜଣେ ଯାତ୍ରୀ ତାଙ୍କ ପତ୍ନୀଙ୍କ ସହ ଏୟାର ଇଣ୍ଡିଆର IX-1810 ବିମାନରେ ମୁମ୍ବାଇ ଯାଉଥିଲେ। ଯାତ୍ରୀ ତାଙ୍କ ପାଖରେ ଥିବା ବନ୍ଧୁକ ଓ ମାଗାଜିନ୍ ଥିବା ଜଣାଇଥିଲେ। ବିମାନବନ୍ଦରରେ ଏ ନେଇ ଯାଞ୍ଚ ଚାଲିଥିବା ବେଳେ ହଠାତ୍ ଗୁଳି ଫୁଟି ଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ପୁନୀତ ଗୁପ୍ତା କହିଛନ୍ତି।
ଗୁଳିଟି ପ୍ରଥମେ ତଳେ ବାଜିବା ପରେ ନିକଟରେ ଥିବା ଦୁଇଜଣ AAICLAS ସ୍କ୍ରିନରଙ୍କ ଦେହରେ ବାଜିଥିଲା। ଏଥିରେ ମହିଳା କର୍ମଚାରୀଙ୍କ ଜଙ୍ଘରେ ଏବଂ ପୁରୁଷ କର୍ମଚାରୀଙ୍କ ହାତରେ ଆଘାତ ଲାଗିଛି।
ଘଟଣା ପରେ ଉଭୟ ଆହତଙ୍କୁ ତୁରନ୍ତ ନିକଟସ୍ଥ ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟରକୁ ନିଆଯାଇ ଚିକିତ୍ସା କରାଯାଇଛି। ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁସାରେ, ଉଭୟଙ୍କ ସ୍ଥିତି ସ୍ଥିର ରହିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।