ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୬ଟି ଜିଲ୍ଲାକୁ ରେଡ୍ ଆଲର୍ଟ
ଘନୀଭୂତ ହେଉଛି ଅବପାତ, ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିବ
ଭୁବନେଶ୍ୱର, ୨୨/୦୯: ରାଜ୍ୟରେ ବଢ଼ୁଛି ବର୍ଷା ପରିମାଣ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୬ ଘଣ୍ଟାରେ ୧୮ କିମି ପଶ୍ଚିମକୁ ଗତି କରୁଛି ଅବପାତ। ଗୋପାଳପୁର ଠାରୁ ୨୦୦ କି.ମି ଦକ୍ଷିଣ-ପୂର୍ବରେ ରହିଛି। ଏ ନେଇ ୨୨ ସେପ୍ଟେମ୍ବରରେ ପ୍ରବଳ ବର୍ଷା, ୨୩ ଓ ୨୪ରେ ଅତି ପ୍ରବଳ ବର୍ଷା, ୨୫ରେ ପ୍ରବଳ ଏବଂ ୨୬ରେ ମଧ୍ୟ ପ୍ରବଳ ବର୍ଷାର ଚେତାବନୀ ରହିଛି।
ଆସନ୍ତା ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୪, ୨୫ ପାଇଁ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢ଼ିବାର ଆଶଙ୍କା ମଧ୍ୟ ରହିଛି।
ଅବପାତ ଉପକୂଳ ନିକଟକୁ ଆସିବା ସମୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ଆଜି ମଧ୍ୟ ବର୍ଷା ହୋଇଛି। ଆଜି ଅନେକ ସ୍ଥାନରେ ବର୍ଷା ଓ ବଜ୍ରପାତ ମଧ୍ୟ ହୋଇପାରେ।