ଏମ୍.ସି.ଏଲ୍. ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ୧୦ ଲକ୍ଷ ବର୍ଗଫୁଟ ପରିସର ସଫା କରିବାକୁ ଲକ୍ଷ୍ୟ
ଇ-ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ମୁଖ୍ୟ ଲକ୍ଷ୍ୟ
ସମ୍ବଲପୁର, ୨୨/୦୯: ମହାନଦୀ କୋଲଫିଲ୍ଡ୍ସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ଏହାର କାର୍ଯ୍ୟାଳୟ, କଲୋନୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରେ ୧୦ ଲକ୍ଷ ବର୍ଗଫୁଟରୁ ଅଧିକ ପରିସରକୁ ସଫା କରିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ସ୍ୱତନ୍ତ୍ର ଅଭିଯାନ ୬.୦ ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିଛି।
ଗତ ଅଭିଯାନ ସମୟରେ କମ୍ପାନୀ ୬.୧୨ ଲକ୍ଷ ବର୍ଗଫୁଟ ପରିସରକୁ ସଫା କରିଥିଲା, ଯାହାକି ସ୍ୱଚ୍ଛ, ସୁବ୍ୟବସ୍ଥିତ ଏବଂ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷେତ୍ର ଗଠନ ଦିଗରେ କମ୍ପାନୀର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରିଥାଏ। ଚଳିତ ବର୍ଷର ଲକ୍ଷ୍ୟ ଏହି ଦିଗରେ ଏକ ବଡ଼ ପଦକ୍ଷେପ ଅଟେ।
ଭାରତ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ ୬.୦ ଅନୁଯାୟୀ ଏହି ଅଭିଯାନ ଅକ୍ଟୋବର ୨ ରୁ ଅକ୍ଟୋବର ୩୧, ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହା ସ୍ୱଚ୍ଛତାର ପ୍ରସାର, କାର୍ଯ୍ୟକ୍ଷେତ୍ରର ପରିଚାଳନା ସୁଧାରିବା, ଉପଲବ୍ଧ ସ୍ଥାନର ଉପଯୁକ୍ତ ବ୍ୟବହାର, ପଡ଼ି ରହିଥିବା କାମଗୁଡ଼ିକୁ କମ କରିବା ଏବଂ ଇ-ବର୍ଜ୍ୟବସ୍ତୁ ସମେତ ବର୍ଜ୍ୟବସ୍ତୁର ସଂଗ୍ରହ, ପୃଥକୀକରଣ ଏବଂ ନିଷ୍କାସନ ଉପରେ କେନ୍ଦ୍ରିତ ରହିବ।
ଚଳିତ ବର୍ଷର ଅଭିଯାନର ମୁଖ୍ୟ ଲକ୍ଷ୍ୟ ଏମ୍.ସି.ଏଲ୍. କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନଗୁଡ଼ିକରେ ସୃଷ୍ଟି ହେଉଥିବା ଇ-ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ଉପରେ ରହିବ।
ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ପୁରୁଣା ଏବଂ ଅଦରକାରୀ ଇଲେକ୍ଟ୍ରୋନିକ୍ ସାମଗ୍ରୀଗୁଡ଼ିକୁ ଚିହ୍ନଟ, ପୃଥକୀକରଣ ଏବଂ ବ୍ୟବସ୍ଥିତ ଭାବରେ ନିଷ୍କାସନ କରିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରାଯିବ। ଏହି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ଯାସକୁ ଦୃଢ଼ କରିବା ସହିତ କାର୍ଯ୍ୟାଳୟଗୁଡ଼ିକୁ ଅଧିକ ସ୍ୱଚ୍ଛ, ନିରାପଦ ଏବଂ ସୁବ୍ୟବସ୍ଥିତ କରିବାରେ ସହାୟକ ହେବ।
ଏହି ଅଭିଯାନରେ ସ୍ଥାନର ଉପଯୁକ୍ତ ବ୍ୟବହାର (ସ୍ପେସ୍ ଅପ୍ଟିମାଇଜେସନ୍) ଉପରେ ବିଶେଷ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ଅଦରକାରୀ ଏବଂ ପୁରୁଣା ସାମଗ୍ରୀଗୁଡ଼ିକୁ ହଟାଇ କାର୍ଯ୍ୟକ୍ଷେତ୍ରର ଉତ୍ତମ ବ୍ୟବହାର କରାଯାଇପାରିବ।
ସ୍ୱତନ୍ତ୍ର ଅଭିଯାନ ୬.୦ ମାଧ୍ୟମରେ ଏମ୍.ସି.ଏଲ୍. ଏହାର କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନଗୁଡ଼ିକରେ ସ୍ୱଚ୍ଛତା, ପରିବେଶଗତ ଦାୟିତ୍ୱବୋଧ ଏବଂ କାର୍ଯ୍ୟକ୍ଷେତ୍ର ପରିଚାଳନାର ସଂସ୍କୃତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।