ସର୍ବଣା ବିବେକ ଏମ୍‌ ହେଲେ ଭୁବନେଶ୍ବର ଡିସିପି

ଆଇପିଏସ ସ୍ତରରେ ଅଦଳବଦଳ କଲେ ସରକାର

ଭୁବନେଶ୍ୱର, ୨୨/୦୯: ଓଡ଼ିଶା ପୁଲିସ ବିଭାଗରେ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପରିବର୍ତ୍ତନରେ ଭୁବନେଶ୍ୱର ପୁଲିସ କମିସନରେଟ୍‌ ସମେତ ବିଭିନ୍ନ ଜିଲ୍ଲାରେ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ମିଳିଛି।

ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ସେପ୍ଟେମ୍ବର ୧୧ରୁ ତତ୍କାଳୀନ ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା କାର୍ଯ୍ୟକାରୀ ହେବା ପରେ ଡିସିପି ପଦ ଖାଲି ରହିଥିଲା।

ସର୍ବଣା ବିବେକ ଏମ୍‌ ୨୦୧୫ ବ୍ୟାଚ୍‌ର ଆଇପିଏସ ଅଧିକାରୀ। ସେ ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ ଦର୍ଶାଯାଇଥିଲେ। ଏହି ଅଦଳବଦଳରେ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱ ମିଳିଥିବା ବେଳେ ଅଜିଙ୍କ୍ୟ ବି. ମାନେଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ଅଭିନବ ସୋନକର ୨୦୧୯ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଏବଂ ଅଜିଙ୍କ୍ୟ ବାବୁରାଓ ମାନେ ୨୦୨୨ ବ୍ୟାଚ୍‌ର ଆଇପିଏସ ଅଧିକାରୀ।

ସେହିପରି ଏ.ବି. ଶିଳ୍ପାଙ୍କୁ ବରଗଡ଼ ଏସଡିପିଓ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେ ୨୦୨୧ ବ୍ୟାଚ୍‌ର ଆଇପିଏସ ଅଧିକାରୀ।