ଆଜି ରାତିରେ ଅତିକ୍ରମ କରିବ ଗଭୀର ଅବପାତ

ତିନି ଦିନ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୩/୦୯: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଗଭୀର ଅବପାତର ରୂପ ନେଇ ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୨ ସେପ୍ଟେମ୍ବର ରାତି ୧୧ଟା୩୦ ସମୟରେ ଏହା ପୁରୀଠାରୁ ପ୍ରାୟ ୨୨୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ, ଗୋପାଳପୁରଠାରୁ ପ୍ରାୟ ୧୫୦ କିମି ଦକ୍ଷିଣ ଏବଂ କଳିଙ୍ଗପାଟନମଠାରୁ ପ୍ରାୟ ୧୦୦ କିମି ପୂର୍ବ-ଦକ୍ଷିଣପୂର୍ବରେ ରହିଥିଲା। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସେପ୍ଟେମ୍ବର ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ନିକଟରେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଜି ରାତି ସମୟରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ ନିକଟରେ ଲ୍ୟାଣ୍ଡଫଲ କରିପାରେ ଗଭୀର ଅବପାତ। ପରେ କୋରାପୁଟ ଓ ରାୟଗଡ଼ା ଦେଇ ଅଗ୍ରସର ହେବ।

ଯାହା ଫଳରେ ୨୩ ଓ ୨୪ ସେପ୍ଟେମ୍ବରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ଓ ୨୬ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ୨୩ ଓ ୨୪ ସେପ୍ଟେମ୍ବରରେ ଗଞ୍ଜାମ, ଗଜପତି ଓ କୋରାପୁଟ ଏବଂ ୨୪ ଓ ୨୫ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ତେବେ ଆଜି ରାତି ଅବପାତ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ରହିପାରେ।