ମଦ କାରବାର ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ମହୁଲ ପୋଚ ସହ ମଦ ରନ୍ଧା ଚୁଲି ଭାଙ୍ଗିଲେ ମହିଳା

କଲ୍ୟାଣ ସିଂହପୁର, ୨୩/୦୯(ନିପ୍ର): ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧକାତିପାଡ଼ୁ ଓ ପୋଲମା ପଞ୍ଚାୟତର ପୋଙ୍ଗଲୀ ଅଡୁଗୁଡା ଗ୍ରାମର ମହିଳା ମାନେ ରନ୍ଧା ମଦ ଓ ଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡି ବାହାରିଥିବା ଦେଖିବାକୁ ମିଳିଛି। ଗ୍ରାମର ପୁରୁଷମାନେ ରନ୍ଧା ମଦ ଓ ଦେଶୀ ମଦ ପିଇ ପ୍ରାୟ ସମୟରେ ଲୋକଙ୍କ ସହ ଝଗଡା, ଘରେ ଅଶାନ୍ତି, ରୋଗାକ୍ରାନ୍ତ ହେଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଛାତ୍ର ମାନେ ମଦ ପିଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ ହେଉଥିବା, ମଦ ପିଇ ଦ୍ରୁତଗତିରେ ଗାଡି ଚଳାଇ ଦୁର୍ଘଟଣା ହେଉଥିବା, ମଦ ପିଇ ରାଜରାସ୍ତାରେ ପଡି ରହିବା, ବିଭିନ୍ନ ପର୍ବପର୍ବାଣୀରେ, ବିବାହ, ବ୍ରତ, ଯାନିଯାତ୍ରାରେ ମଦ ପିଇ ଅଶାନ୍ତି ସୃଷ୍ଟି କରୁଥିବା ହେତୁ ପୋଙ୍ଗଲୀ ଓ ଅଡୁଗୁଡା ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ରନ୍ଧା ମଦ ଓ ଦେଶୀ ବିଦେଶୀ ମଦ ବିକ୍ରି କିପରି ବନ୍ଦ କରିବେ ସେ ବିଷୟରେ ଆଲୋଚନା କରିବା ପରେ ଗ୍ରାମର ମହିଳା ମାନେ ପଞ୍ଚାୟତର ଯେଉଁ ଠାରେ ମଦ ରନ୍ଧା ହେଉଛି ସେଠାକୁ ଯାଇ ମହୁଲ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ଚୁଲାକୁ ଭଙ୍ଗା ରୁଜା କରିଥିଲେ। ମଦ ବିକ୍ରି କରୁଥିବା ଲୋକଙ୍କୁ ତାହା ବନ୍ଦ କରିବା ପାଇଁ କହିଥିଲେ। ମହିଳାଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ। ଏହାକୁ ଦେଖି ଅନ୍ୟ ଅଞ୍ଚଳର ମହିଳା ମାନେ ମଧ୍ୟ ସଚେତନତା ହୋଇ ରାଜାରାସ୍ତାକୁ ଓହ୍ଲାଇବା ପ୍ରେରଣା ଦାୟକ ହେବ। ପ୍ରଚୁର ମଦ ବିକ୍ରି ହେଉଥିବା ଯୋଗୁଁ ଯୁବପିଡି ଏହାର ଶିକାର ହେଉଛନ୍ତି। ଅବକାରୀ ଓ ପୁଲିସ ବିଭାଗ ଏହାର ଟେର କିପରି ପାଇପାରୁନାହାନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।