ନୂଆଦିଲ୍ଲୀ, ୨୩/୦୯: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର। ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ଦେଶର ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ଖୋଲା ରହିବ। ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରସ୍ତାବିତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଗ୍ରାହକଙ୍କ ଉପରେ ଯେପରି ଅଧିକ ପ୍ରଭାବ ନପଡ଼େ, ସେଥିପାଇଁ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ଅନୁମତି ମିଳିଛି।
ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ସେପ୍ଟେମ୍ବର ୨୮, ୨୯ ଓ ୩୦ ତାରିଖରେ ଦେଶବ୍ୟାପୀ ୩ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଓ ୨ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛି ସଂଘ।
ସେପ୍ଟେମ୍ବର ୨୬ ହେଉଛି ମାସର ଚତୁର୍ଥ ଶନିବାର ଏବଂ ୨୭ ରବିବାର। ଏହା ପରେ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ହେଲେ, ବ୍ୟାଙ୍କର ଶାଖାସ୍ତରୀୟ ସେବାରେ ସେପ୍ଟେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ କ୍ରମାଗତ ୫ ଦିନ ବାଧା ସୃଷ୍ଟି ହୋଇପାରେ। ଏହି ସମ୍ଭାବ୍ୟ ଅସୁବିଧାକୁ ଏଡାଇବା ପାଇଁ ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଆରବିଆଇ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ATM-ସଂଯୁକ୍ତ ଶାଖା ଏବଂ କରେନାହିଁ ଚେଷ୍ଟକୁ ୨୭ ତାରିଖ ରବିବାର ଦିନ ସାଧାରଣ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛି।
ରବିବାର ଖୋଲା ରହିବା ଯୋଗୁଁ ଗ୍ରାହକମାନେ ଧର୍ମଘଟ ପୂର୍ବରୁ ନିଜର ଜରୁରୀ ବ୍ୟାଙ୍କିଂ କାମ ସାରିପାରିବେ। ବିଶେଷକରି ନଗଦ ଜମା/ଉଠାଣ, ଚେକ୍ ସମ୍ବନ୍ଧୀୟ କାମ ଓ ଅନ୍ୟ ଶାଖା-ନିର୍ଭର ସେବା ପାଇଁ ଆଗୁଆ କାମ ସାରିବାକୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି।