ଘରୋଇ କମ୍ପାନୀଗୁଡ଼ିକୁ ସୁହାଇଲା ଭଳି ନିୟମ କରି ତାଙ୍କ ସପକ୍ଷରେ କୋର୍ଟରେ ଯୁକ୍ତି ବାଢିବା ବିଜେଡ଼ିର ଅଭ୍ୟାସ: ବାବୁ ସିଂହ
'ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡ଼ିବା' ବିଜେଡ଼ିର ନୀତି
୨୦୨୦ ରେ ଦର କମାଇବା ପାଇଁ ଚିଠି ଲେଖିବା ବିଜେଡ଼ିର ଘରୋଇ କମ୍ପାନୀ ପ୍ରୀତିର ପ୍ରମାଣ
ଭୁବନେଶ୍ୱର, ୦୨/୧୦: ବକ୍ସାଇଟ୍ ଯୋଗାଣ ଓ କନଭର୍ସନ ଫ୍ୟାକ୍ଟର ମାମଲାରେ ବିଜେଡି ନେତାମାନେ ଆଜି ପ୍ରେସମିଟ୍ କରି ଯେଉଁ ସଫେଇ ଦେଇଛନ୍ତି, ତାହା ସେମାନଙ୍କ ଦୋଷ ଦୁର୍ବଳତା ଓ ଦ୍ୱନ୍ଦକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଗୋଟିଏ ପଟେ ଘରୋଇ କମ୍ପାନୀକୁ ସୁବିଧା ପହଞ୍ଚାଇବା ପାଇଁ ଚିଠି ଲେଖିବା ଏବଂ ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ ଦେଖାଇବା ପାଇଁ ଆଇନର ଆଡ଼ୁଆଳ ନେବା – ବିଜେଡିର ଏହି ଦୋମୁହାଁ ନୀତିକୁ ଓଡ଼ିଶାବାସୀ ଭଲ ଭାବେ ବୁଝିସାରିଛନ୍ତି ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ ।
ବିଜେଡ଼ିର ନୀତି ସଦାସର୍ବଦା ‘ଡାହାଣୀ ହୋଇ ଲାଗିବା ଏବଂ ଗୁଣିଆ ହୋଇ ଝାଡ଼ିବା’ ଭଳି। ଗୋଟିଏ ପଟେ ସାଧାରଣ ଲୋକଙ୍କ ଆଗରେ ଡ୍ରାମା କରିବେ, ଆଉ ପଛପଟେ ସେଇ କମ୍ପାନୀ ସହ ହାତ ମିଳାଇ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇବେ। ସରକାରରେ ଥିବା ସମୟରେ ବିଜେଡ଼ି କେବଳ ଘରୋଇ କମ୍ପାନୀଗୁଡ଼ିକୁ ସୁହାଇଲା ଭଳି ନିୟମ ଓ ଫର୍ମୁଲା ତିଆରି କଲା, ଏବଂ କୋର୍ଟ ଭିତରେ ମଧ୍ୟ ସେହି କମ୍ପାନୀଗୁଡ଼ିକ ସପକ୍ଷରେ ହିଁ ଓକିଲାତି କଲା। ସମସ୍ୟାର ସ୍ଥାୟୀ ସମାଧାନ ନକରି, ମାମଲାକୁ କୋର୍ଟରେ ବର୍ଷ ବର୍ଷ ଧରି ଲମ୍ବାଇ ରଖିବା ଏବଂ ଓଡ଼ିଶାବାସୀଙ୍କ ଆଖିରେ ଆଙ୍ଗୁଠି ଗୁଜି ଭ୍ରମିତ କରିବା ହିଁ ବିଜେଡ଼ିର ଅସଲ ଚରିତ୍ର।”
ବିଜେଡ଼ିର ନୀତି ସଦାସର୍ବଦା ‘ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡ଼ିବା’ ଭଳି। ଗୋଟିଏ ପଟେ ସାଧାରଣ ଲୋକଙ୍କ ସ୍ୱାର୍ଥର ଦୋହାଇ ଦେଇ ନାଟକ କରିବେ, ଆଉ ଅନ୍ୟପଟେ ଘରୋଇ କମ୍ପାନୀକୁ ସୁହାଇଲା ଭଳି ନିୟମ ପ୍ରସ୍ତୁତ କରିବେ। କୋର୍ଟ ଭିତରେ କମ୍ପାନୀ ସପକ୍ଷରେ ଯୁକ୍ତି ବାଢ଼ିବା ଏବଂ କୌଣସି ମାମଲାର ସ୍ଥାୟୀ ସମାଧାନ ନକରି ତାକୁ ବର୍ଷ ବର୍ଷ ଧରି ଲମ୍ବାଇ ରଖି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ହିଁ ବିଜେଡ଼ିର ଅସଲ ଚରିତ୍ର।”
ବିଜେଡି ଦାବି କରୁଛି ଯେ ହାଇକୋର୍ଟରେ ପୂର୍ବ ସରକାରଙ୍କ ନିଷ୍ପତ୍ତି କାଏମ ରହିଲା। କିନ୍ତୁ ସତ୍ୟ ହେଉଛି, ୨୦୧୫ ମସିହାରେ କେନ୍ଦ୍ରର ମୋଦୀ ସରକାର ଆଣିଥିବା କଠୋର MMDR ଆଇନ ଏବଂ MCR 2016 Rule 45 କାରଣରୁ ହିଁ ପୁରୁଣା ଅସୁବିଧାଜନକ ଚୁକ୍ତିଗୁଡ଼ିକ ଆଇନଗତ ଭାବେ ରଦ୍ଦ ହୋଇଥିଲା। କୋର୍ଟ କେବଳ କେନ୍ଦ୍ରୀୟ ଆଇନ ଓ MCR 2016 ର ବୈଧତାକୁ କାଏମ ରଖିଛନ୍ତି । ବିଜେଡ଼ି ସରକାର ୨୦୦୪ରେ ଯେଉଁ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣର ବାଟ ଖୋଲିଥିଲେ, କେନ୍ଦ୍ର ଆଇନ ଯୋଗୁଁ ହିଁ ତାହା ଅବୈଧ ପ୍ରମାଣିତ ହୋଇଛି।
ବିଜେଡି ସଫେଇ ଦେଉଛି ଯେ “ବୈଷୟିକ ତ୍ରୁଟି” ପାଇଁ ୨୦୨୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚିଠି ଲେଖାଯାଇଥିଲା। ଆମର ପ୍ରଶ୍ନ, ଯଦି ଉଦ୍ଦେଶ୍ୟ ଭଲ ଥିଲା, ତେବେ ୧ ଫେବ୍ରୁଆରୀ ୨୦୨୦ (ଚିଠି ନଂ-୧୦୪୪) ଏବଂ ୭ ଅକ୍ଟୋବର ୨୦୨୦ (ଚିଠି ନଂ-୮୫୬୯/SM) ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କନଭର୍ସନ ଫ୍ୟାକ୍ଟର କମାଇବା ପାଇଁ କାହିଁକି ସୁପାରିଶ କରାଯାଇଥିଲା ? କନଭର୍ସନ ଫ୍ୟାକ୍ଟର କମିଥିଲେ ବକ୍ସାଇଟ୍ ଦର ଟନ୍ ପ୍ରତି ୧୭୦୭ ଟଙ୍କାରୁ ହ୍ରାସ ପାଇ ସର୍ବନିମ୍ନ ୭୫୦ ଟଙ୍କା ହୋଇଥାନ୍ତା, ଯାହା ଦ୍ୱାରା ଓଡ଼ିଶାର ରାଜସ୍ୱ (ରୟାଲଟି, ଡିଏମଏଫ ଓ ଏନଏମଇଟି) ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଥାନ୍ତା। ଘରୋଇ କମ୍ପାନୀର ଫାଇଦା ପାଇଁ ରାଜ୍ୟର ସ୍ୱାର୍ଥକୁ ବଳି ପକାଇବାକୁ ଚେଷ୍ଟା କରାଯାଉ ନଥିଲା କି?
ଶ୍ରୀ ସିଂହ କହିଛନ୍ତି, ବିଜେଡି ସରକାରଙ୍କ ସେହି ଅନୁରୋଧକୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ସିଧାସଳଖ ଖାରଜ କରିଦେଇଥିଲେ। ଯଦି କେନ୍ଦ୍ର ସରକାର ସେତେବେଳେ ବିଜେଡ଼ିର ଅନୁରୋଧ ମାନିଥାନ୍ତେ, ତେବେ ଓଡ଼ିଶାବାସୀ ହଜାର ହଜାର କୋଟି ଟଙ୍କାର ରାଜସ୍ୱରୁ ବଞ୍ଚିତ ହୋଇଥାନ୍ତେ । କେନ୍ଦ୍ରର ଦୃଢ଼ ନିଷ୍ପତ୍ତି ଯୋଗୁଁ ହିଁ ଓଡ଼ିଶା ଖଣି ନିଗମ ବା ଓଏମସି ଓ ରାଜ୍ୟ ସରକାରଙ୍କ ପାଣ୍ଠି ସୁରକ୍ଷିତ ରହିଲା। ଆଜିର ପ୍ରେସମିଟରେ ବିଜେଡି ନେତାମାନେ ଏହି ମୁଖ୍ୟ ପ୍ରଶ୍ନରୁ ଓହରି ଯାଇଛନ୍ତି, ସେହି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ପାଖାପାଖି ୫,୪୦୦ କୋଟି ଟଙ୍କାର ବକେୟା କାହିଁକି ପଡ଼ିରହିଛି? ବିଜେଡି ସରକାର ନିଜ ଶାସନକାଳରେ ଏହି ବିପୁଳ ପରିମାଣର ବକେୟା ଟଙ୍କା ଆଦାୟ କରିବାରେ କାହିଁକି କୋହଳ ନୀତି ଆପଣାଇଥିଲେ?
ରାଜ୍ୟର ସମ୍ପତ୍ତି ଓ ରାଜସ୍ୱକୁ ହଡ଼ପ କରିବାକୁ ଦିଆଯାଇଥିବା ପ୍ରଶ୍ରୟ ଉପରେ ଶ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ଓଡ଼ିଶାବାସୀଙ୍କୁ ନିଶ୍ଚିତ ଭାବେ ଜବାବ ଦେବାକୁ ପଡ଼ିବ।