ଗୀତା ମାନବୀୟ ସମ୍ବିଧାନ ଅଟେ: ସ୍ଵାମୀ ଚିଦାନନ୍ଦ ମହାରାଜ

ଗୀତା ସମାଜକୁ ଶାନ୍ତି ଓ ପ୍ରଗତିର ବାଟ ଦେଖାଏ: ସ୍ଵାମୀ ଚିଦାନନ୍ଦ

ଭୁବନେଶ୍ୱର, ୦୨/୧୦: ଇଣ୍ଟରନ୍ୟାସନାଲ ଗୀତା ମିଶନ ଆନୁକୁଲ୍ୟରେ ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଡଃ ସ୍ଵାମୀ ଚିଦାନନ୍ଦ ମହାରାଜ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ଭଗବତ ଗୀତା କେବଳ ଏକ ଧର୍ମ ଶାସ୍ତ୍ର ନୁହଁ ଏହା ଏକ ମାନବୀୟ ସମ୍ବିଧାନ ଅଟେ l ଗୀତା ପ୍ରଦର୍ଶିତ ମାର୍ଗ ହିଁ ସମାଜରେ ଶାନ୍ତି, ପ୍ରଗତି ଓ ସଦ୍ ଭାବନା ପ୍ରତିଷ୍ଠା କରିବାରେ ସମର୍ଥ l ପ୍ରତିଟି ଜୀବନକୁ ବିଷାଦରୁ ମୋକ୍ଷ ବା ପରମ ଶାନ୍ତି ଆଡକୁ ନେଇ ଯିବାର ବାର୍ତ୍ତା ସମଗ୍ର ବିଶ୍ୱକୁ ଗୀତା ପ୍ରଦାନ କରି ଅଛନ୍ତି l ପ୍ରତିଦିନ ଗୀତା ନିଜେ ପଢ଼ନ୍ତୁ ଏବଂ ଅନ୍ୟମାନଙ୍କୁ ପଢିବା ପାଇଁ ପ୍ରେରଣା ଦିଅନ୍ତୁ l

ଏହି ସଭାରେ ସମ୍ମାନିତ ଅତିଥି ଭାବେ ନୀଳଶୈଳର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସହଦେବ ଜୟ ସିଂହ, ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ଭାରତ ଚନ୍ଦ୍ର ଜଗଦେବ ଏବଂ ଦୟାନନ୍ଦ ସର୍ଭିସ ମିଶନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗ ଦେଇଥିଲେ l ଡଃ ସରୋଜିନୀ ପାଣି ସଭା ସଞ୍ଚାଳନ କରିଥିବା ବେଳେ ଶ୍ରୀଯୁକ୍ତ ସଙ୍କର୍ଷଣ ରାଉତ ମିଶନ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ ଓ ଡଃ ସ୍ଵପ୍ନା ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ l କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ଗୀତା ମିଶନର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l