କିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ୍ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସା
ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଭୁଟାନର ୪୦ ଜଣିଆ ଶିକ୍ଷକ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର, ୦୨।୧୦: କେମ୍ବ୍ରିଜ୍ ଶିକ୍ଷା ଏକାଡେମିକ୍ ଇମରସନ୍ କାର୍ଯ୍ୟକ୍ରମ ପରିପେକ୍ଷ୍ରୀରେ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ଭୁଟାନର ୪୦ ଜଣିଆ ଶିକ୍ଷକ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଭୁଟାନର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ସ୍କୁଲ ଏଜୁକେସନ ବିଭାଗର ଏକ ପ୍ରତିନିଧି ଦଳ ‘ଇଣ୍ଡିଆ ଟ୍ରେକ୍’ କାର୍ଯ୍ୟକ୍ରମରେ ଆସି କିଟ୍ରେ ରହୁଛନ୍ତି । ଏହି ଅବସରରେ ସେମାନେ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ପ୍ରତିନିଧି ଦଳର ସଦସ୍ୟମାନେ ପ୍ରତିକ୍ରିୟାରେ କହିଲେ, ବିଶ୍ୱରେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସମଗ୍ର ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଚ୍ୟୁତ ସାମନ୍ତ ଅନ୍ୟତମ । କିସ୍ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ହଜାର ହଜାର ଜନଜାତି ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା ଏକ ସାମାଜିକ ଆନ୍ଦୋଳନ ବୋଲି ସେମାନେ ମତ ପ୍ରକାଶ କରିଥିଲେ । କିସ୍ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଶାର ଆଲୋକ ହୋଇ ଉଭା ହୋଇଛି । ଅଚ୍ୟୁତ ସାମନ୍ତଙ୍କ ଆଦର୍ଶ ବିଶେଷ କରି ଆର୍ଟ ଅଫ୍ ଗିଭିଂ ଦର୍ଶନରେ ସେମାନେ ବେଶ ପ୍ରଭାବିତ ହୋଇଛନ୍ତି ବୋଲି କହିଥିଲେ ।
ଆଜି ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରି କହିଲେ, ଆଜି ଯାହା ବି ହୋଇଛି, ତାହା ସବୁ କେବଳ ଭଲ ପାଇବା ପାଇଁ ହିଁ ସମ୍ଭବ ହୋଇପାରିଛି । ଯଦି ଆପଣ ଭଲ ପାଇବା ବାଣ୍ଟି ପାରିବେ ତାହେଲେ ଜୀବନରେ ଶାନ୍ତି ପାଇପାରିବେ ବୋଲି ସେ କହିଥିଲେ । ଭୂଟାନର ଏହି ପ୍ରତିନିଧି ଦଳ ଓଡ଼ିଶାର କଳା, ସାହିତ୍ୟ ଓ ଭାସ୍କର୍ଯ୍ୟକୁ ବୁଲି ଦେଖିବା ସହ ଆମ ଇତିହାସ ବିଷୟରେ ଅଧିକ ଜାଣିବା ପାଇଁ ଖଣ୍ଡଗିରି, ଉଦୟଗିରି ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାକୁ କିଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।