ସ୍ୱଚ୍ଛତା ଦିବସ ଓ ଗାନ୍ଧୀ ଜୟନ୍ତୀ ଅବସରରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସଫେଇମିତ୍ରମାନଙ୍କୁ ସମ୍ବର୍ଦ୍ଧନା
ସ୍ୱଚ୍ଛତା ହି ସେବା ବିଶେଷ ଅଭିଯାନ ସଫଳତାର ସହ ସମାପ୍ତ
ଭୁବନେଶ୍ୱର, ୦୨/୧୦: ସ୍ୱଚ୍ଛତା ହି ସେବା-୨୦୨୬ ଅଭିଯାନ ଅବସରରେ କ୍ୟାମ୍ପସ୍ ଭିତରେ ଏବଂ ବାହାରେ ପରିମଳ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ପ୍ରଯୁକ୍ତିବିଦ୍ୟାନ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୧୨ ଜଣ ହାଉସକିପିଂ ଓ ଉଦ୍ୟାନକର୍ମୀଙ୍କୁ ସଫେଇମିତ୍ର ପୁରସ୍କାର-୨୦୨୬ ପ୍ରଦାନ କରାଯାଇଛି। ସଂସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଦିବସ ଓ ଗାନ୍ଧୀ ଜୟନ୍ତୀ ସମାରୋହ ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଏହି ପୁରସ୍କାର ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆଇଆଇଟି ଭୁବନେଶ୍ୱର ରାଷ୍ଟ୍ର ସହିତ ଏକାତ୍ମ ହୋଇ ସ୍ୱଚ୍ଛତା ହି ସେବା ବିଶେଷ ଅଭିଯାନରେ ଅଂଶଗ୍ରହଣ କରିଥିଲା ଏବଂ ଚଳିତ ବର୍ଷର ବିଷୟବସ୍ତୁ “ସ୍ୱଚ୍ଛତା ମେଁ ସହଭାଗ; ସ୍ୱଚ୍ଛ ଭାରତ, ବିକଶିତ ଭାରତ” ଅନୁରୂପ ଭାବେ ସ୍ୱଚ୍ଛତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଅଭିଯାନର ବିଭିନ୍ନ କାର୍ଯ୍ୟକଳାପକୁ ପାଞ୍ଚଟି ସ୍ତମ୍ଭରେ ବିଭକ୍ତ କରାଯାଇଥିଲା:
ସ୍ୱଚ୍ଛତା ଲକ୍ଷ୍ୟସ୍ଥଳୀର ରୂପାନ୍ତରଣ: ଅବହେଳିତ ଅଳିଆ ଆବର୍ଜନା ସ୍ଥଳ ଏବଂ ସଫେଇ ପାଇଁ କଷ୍ଟସାଧ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକର ପରିଷ୍କାରୀକରଣ।
ସ୍ୱଚ୍ଛ ପାଠଶାଳା: ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା ସମ୍ପର୍କିତ ଶିକ୍ଷା ଓ ସଚେତନତାରେ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କୁ ସାମିଲ କରିବା।
ସଫେଇମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର: ପରିମଳ କର୍ମଚାରୀମାନଙ୍କୁ କଲ୍ୟାଣକାରୀ ସେବା, ସୁରକ୍ଷା ଉପକରଣ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ।
ଜନ ଭାଗିଦାରୀ: ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ ଏବଂ ପ୍ଲାଷ୍ଟିକ ବିରୋଧୀ ଅଭିଯାନରେ ନାଗରିକଙ୍କ ନେତୃତ୍ୱାଧୀନ ଅଂଶଗ୍ରହଣକୁ ଉତ୍ସାହିତ କରିବା।
ସ୍ୱଚ୍ଛତାରୁ ସମୃଦ୍ଧି: ବର୍ଜ୍ୟରୁ ସମ୍ପଦ ସୃଷ୍ଟି, ଚକ୍ରାକାର ଅର୍ଥନୀତିର ଧାରଣା, ଘରୋଇ କମ୍ପୋଷ୍ଟିଂ ଏବଂ ସୃଜନଶୀଳ ପୁନଃବ୍ୟବହାରକୁ ପ୍ରୋତ୍ସାହନ ଦେବା।
ସଂସ୍ଥାନ ପକ୍ଷରୁ ୧ ଅକ୍ଟୋବର ୨୦୨୬ରେ ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର, ଡିନ୍ (ଛାତ୍ର ବ୍ୟାପାର) ପ୍ରଫେସର ମିହିର କୁମାର ଦାସ, କୁଳସଚିବ ଶ୍ରୀ ବାମଦେବ ଆଚାର୍ଯ୍ୟ, ପ୍ରୋଫେସର-ଇନ୍-ଚାର୍ଜ (ସ୍ୱଚ୍ଛତା) ଡ. ରେମ୍ୟା ନୀଲାଞ୍ଚେରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ସଂକାୟ ସଦସ୍ୟ ଓ କର୍ମଚାରୀମାନେ ହାଉସକିପିଂ କର୍ମଚାରୀଙ୍କ ସହ ମିଶି ସଂସ୍ଥାନର ମୁଖ୍ୟ ଫାଟକ ସମ୍ମୁଖସ୍ଥ ରାସ୍ତାର ସଫେଇ କରିଥିଲେ।
୨ ଅକ୍ଟୋବର ୨୦୨୬ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ସଂସ୍ଥାନର ସଦସ୍ୟମାନେ ରାଷ୍ଟ୍ରପିତାଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଫେସର ଶ୍ରୀପଦ କର୍ମାଲକର ଏକ ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍ ବଜାୟ ରଖିବା ପ୍ରତି ସଂସ୍ଥାନର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏଥିସହ ଅଧିକ ଧ୍ୟାନ ଆବଶ୍ୟକ କରୁଥିବା ସ୍ଥାନଗୁଡ଼ିକୁ ନିରନ୍ତର ଚିହ୍ନଟ କରି ସେଗୁଡ଼ିକର ଉନ୍ନତି ପାଇଁ ପ୍ରୟାସ ଜାରି ରଖିବାକୁ ସେ ଉତ୍ସାହିତ କରିଥିଲେ। କୁଳସଚିବ ଶ୍ରୀ ବାମଦେବ ଆଚାର୍ଯ୍ୟ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି ସଂସ୍ଥାନର ସମସ୍ତ ସଦସ୍ୟଙ୍କୁ କ୍ୟାମ୍ପସ୍ ପରିସରର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପ୍ରେରିତ କରିଥିଲେ। ଡ. ରେମ୍ୟା ନୀଲାଞ୍ଚେରୀ ସ୍ୱଚ୍ଛତା ହି ସେବା ଅଭିଯାନର ଅଂଶ ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ।
ସଂସ୍ଥାନର ସଂକାୟ ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅଧିବାସୀମାନେ ଏହି ଅଭିଯାନରେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରି ସ୍ୱଚ୍ଛତା ହି ସେବା ମିଶନର ଉଦ୍ଦେଶ୍ୟକୁ ସଫଳ କରିବାରେ ନିଜର ଅବଦାନ ରଖିଥିଲେ।