ବୁଲେଟ୍‌ ଟ୍ରେନ୍‌ ‘ଦେଶର ଡ୍ରିମ୍‌ ପ୍ରୋଜେକ୍ଟ’: ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ- ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦେଶର ଏକ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଏବଂ ଜାତୀୟ ଓ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି। ଏଥିସହ ଏହି ପ୍ରକଳ୍ପ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇର ଭିକ୍ରୋଲି ଅଞ୍ଚଳରେ ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ ଦ୍ୱାରା ଆରମ୍ଭ ହୋଇଥିବା ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଗୋଦ୍ରେଜ୍‌ ଆଣ୍ଡ ବଏସ୍‌ କମ୍ପାନି ଦ୍ୱାରା ଆଗତ କରାଯାଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି।

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ ଡି ଧନୁକା ଏବଂ ଜଷ୍ଟିସ୍‌ ଏମ୍‌ ଏମ୍‌ ସାଥେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରକଳ୍ପ ଏକ ଅନନ୍ୟ ପ୍ରକାରର ଏବଂ ଏହା ବୃହତ୍ତର ସାମୂହିକ ସ୍ୱାର୍ଥ ଜଡ଼ିତ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଅଦାଲତ କହିଛନ୍ତି ଯେ ଏ ପ୍ରସଙ୍ଗରେ ମୌଳିକ ଅଧିକାର ଏବଂ ଆନ୍ତଃ ମୌଳିକ ଅଧିକାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ମଧ୍ୟରେ ଅଦାଲତକୁ ଯାଞ୍ଚ କରିବାକୁ ପଡିବ ଯେ ଦୁଇଟି ପରସ୍ପର ବିରୋଧୀ ଅଧିକାରକୁ ସନ୍ତୁଳିତ ରଖିବା ସହିତ ଦେଶର ବୃହତ୍ତର ଜନସ୍ୱାର୍ଥ କେଉଁଠି ରହିଛି? ଏହା ହେଉଛି ଦେଶର ସର୍ବୋଚ୍ଚ ସାମୂହିକ ସ୍ୱାର୍ଥ ଯାହା ଶେଷରେ ବିଜୟୀ ହେବ।