ବିରଳ ପ୍ରକାରର ବାର୍ଡ ଫ୍ଲୁ ଭୁତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ଚୀନ ମହିଳା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ କୁହାଯାଇଛି ଯେ ଚୀନର ଜଣେ ମହିଳା ପ୍ରଥମ ବ୍ୟକ୍ତି ଭାବେ ଏକ ବିରଳ ପ୍ରକାରର ବାର୍ଡ ଫ୍ଲୁରେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ଏହି ଷ୍ଟ୍ରେନ୍ ଲୋକଙ୍କ ମଧ୍ୟରେ ବ୍ୟାପିବାର ଆଶଙ୍କା କମ । ଏହାକୁ ବିରଳ ଏଥିପାଇଁ କୁହାଯାଉଛି ଯେ, ଏହା ସାଧାରଣତଃ ପକ୍ଷୀମାନଙ୍କଠାରେ ଦେଖାଗଲେ ବି ମଣିଷକୁ ସଂକ୍ରମିତ ହୁଏ ନାହିଁ ।

ଗତବର୍ଷ ଚୀନରେ ପ୍ରଥମଥର ପାଇଁ ଏପରି ଦୁଇଟି ମାମଲା ସାମ୍ନାକୁ ଆସିଥିଲା। ମୃତ ମହିଳା ୩ୟ ବ୍ୟକ୍ତିଭାବେ ସଂକ୍ରମିତ ହୋଇଥିଲେ । ଗୁଆଙ୍ଗଡୋଙ୍ଗ ପ୍ରାନ୍ତୀୟ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଗତ ମାସ ଶେଷ ଆଡ଼କୁ ତୃତୀୟ ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ ମଧ୍ୟ ମହିଳାଙ୍କ ମୃତ୍ୟୁ ର ବିବରଣୀ ଦେଇନଥିଲା। ଡବ୍ଲ୍ୟୁଏଚ୍ଓ କହିଛି ଯେ ରୋଗୀଙ୍କର କେତେକ ଅଲଗା ରୋଗ ଥିଲା ଏବଂ ଜୀବନ୍ତ କୁକୁଡ଼ା ସଂସ୍ପର୍ଶରେ ଆସିବାର ଇତିହାସ ଥିଲା।

ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଉପଲବ୍ଧ ସୂଚନା କୁ ଆଧାର କରି ଜଣାପଡୁଛି ଯେ ଏହି ଭୂତାଣୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ସହଜରେ ବ୍ୟାପିବାର କ୍ଷମତା ରଖିନାହିଁ ଏବଂ ତେଣୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଣିଷ ମଧ୍ୟରେ ବ୍ୟାପିବାର ଆଶଙ୍କା କମ୍ । ଏହା ସତ୍ତ୍ବେ ସମସ୍ତ ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଭୂତାଣୁର ନିରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଆହୁରି ବିକଶିତ ହେବା ଏବଂ ମହାମାରୀ ସୃଷ୍ଟି କରିବାର କ୍ଷମତା ରଖିଛନ୍ତି ।