ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଅର୍ଡର ଅଫ୍ ଦି ନାଇଲ୍’

ଇଜିପ୍ଟର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'ଅର୍ଡର ଅଫ୍ ଦି ନାଇଲ'ରେ ସମ୍ମାନିତ ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଜିପ୍ଟର ରାଷ୍ଟ୍ରପତି ଅବ୍ଦେଲ ଫତ୍ତାହ ଏଲ-ସିସି ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି

ଇଜିପ୍ଟ: ଇଜିପ୍ଟର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଅର୍ଡର ଅଫ୍ ଦି ନାଇଲ’ରେ ସମ୍ମାନିତ ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଜିପ୍ଟର ରାଷ୍ଟ୍ରପତି ଅବ୍ଦେଲ ଫତ୍ତାହ ଏଲ-ସିସି ରବିବାର କାଇରୋଠାରେ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଇଜିପ୍ଟର କାଇରୋଠାରେ ପ୍ରଧାନମନ୍ତ୍ରୀ ମୋଦୀ, ଇଜିପ୍ଟ ରାଷ୍ଟ୍ରପତି ଏଲ-ସିସି ରବିବାର ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଜୁନ ୨୪ରୁ ୨୫ ଯାଏ ଇଜିପ୍ଟ ଗସ୍ତରେ ଅଛନ୍ତି ନରେନ୍ଦ୍ର ମୋଦି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ରବିବାର ଇଜିପ୍ଟର କାଇରୋସ୍ଥିତ ହେଲିଓପଲିସ୍ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ସହ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବଳିଦାନ ଦେଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତା ସହିତ କାଇରୋର ଏକାଦଶ ଶତାବ୍ଦୀର ଅଲ୍-ହାକିମ ମସଜିଦ ମଧ୍ୟ ପରିଦର୍ଶନ କରିଥିଲେ। ଏହି ଐତିହାସିକ ମସଜିଦ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରମାଣ ଭାବରେ ଉଭା ହୋଇଛି। ସେହିପରି ଶନିବାର ଦିନ ମୋଦି ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୁଲିଙ୍କ ସହ ଏକ ଗୋଲଟେବୁଲ ବୈଠକ କରିଥିଲେ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଏଲ-ସିସି ଅତିଥି ଭାବେ ଯୋଗ ଦେବା ପରେ ମୋଦିଙ୍କ ଇଜିପ୍ଟ ଗସ୍ତ ନିହାତି ଭାବରେ କୂଟନୈତିକ ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।
ମୋଦିଙ୍କ ଇଜିପ୍ଟ ଗସ୍ତ ସମୟରେ ତାଙ୍କୁ ପ୍ରବାସୀ ଭାରତୀୟମାନେ ଉତ୍ସୁକତାର ସହ ଭବ୍ୟ ସ୍ୱାଗତ କରିଥିଲେ।