୧୯୭୫ ଜରୁରୀକାଳୀନ ପରିସ୍ଥିତି ସବୁଦିନ ପାଇଁ ଏକ କଳାଦିନ ଭାବେ ସ୍ମରଣୀୟ: ପ୍ରଧାନମନ୍ତ୍ରୀ

୧୯୭୫ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ନରେନ୍ଦ୍ର ମୋଦି ସ୍ମୃତିଚାରଣ କରିଛନ୍ତି

ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି: ମୋଦି

ନୂଆଦିଲ୍ଲୀ: ୧୯୭୫ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ନରେନ୍ଦ୍ର ମୋଦି ସ୍ମୃତିଚାରଣ କରିଛନ୍ତି। ୧୯୭୫ ମସିହା ଜୁନ୍ ୨୫ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଯେଉଁଭଳି ଭାବରେ ୨୧ ମାସର ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ, ଆଉ ସେହି ସମୟରେ ଲୋକଙ୍କ ମୌଳିକ ଅଧିକାରକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ କଟକଣା ଲଗାଯାଇଥିଲା ସେ ନେଇ ମୋଦି ମନେ ପକାଇ ଟ୍ୱିଟ କରିଛନ୍ତି।
“ମୁଁ ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ ଏବଂ ଆମର ଗଣତାନ୍ତ୍ରିକ ଭାବନାକୁ ସୁଦୃଢ଼ କରିବା ପାଇଁ ଲଢିଥିଲେ। ଜରୁରୀକାଳୀନ ପରିସ୍ଥିତିର କଳା ଦିନ ଗୁଡ଼ିକ ଆମ ଇତିହାସରେ ଏକ ଅବିସ୍ମରଣୀୟ ସମୟ ହୋଇ ରହିଛି, ଯାହା ଆମ ସମ୍ବିଧାନ ପାଳନ କରୁଥିବା ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ” ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି।