ଏଲପିଜି ଦର ହ୍ରାସ: କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କଲା କେନ୍ଦ୍ର

୨୦୦ ଟଙ୍କା କମିଲା ଘରୋଇ ସିଲିଣ୍ଡର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କଲା କେନ୍ଦ୍ର। ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ମୋଟ ସବସିଡି ୪୦୦ ଟଙ୍କା ହେବ ।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମସ୍ତ ଉପଭୋକ୍ତାଙ୍କ ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରକ୍ଷାବନ୍ଧନ ଅବସରରେ ଦେଶର ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏହା ଏକ ଉପହାର। ଉଜ୍ଜ୍ୱଳା ଯୋଜନାରେ ସରକାର ୭୫ ଲକ୍ଷ ନୂଆ ଏଲପିଜି ସଂଯୋଗ ମାଗଣାରେ ଯୋଗାଇ ଦେବେ ବୋଲି ଶ୍ରୀ ଠାକୁର କହିଛନ୍ତି। ଇଣ୍ଡିଆନ୍ ଅଏଲ, ଏଚପିସିଏଲ୍ ଏବଂ ବିପିସିଏଲକୁ ସବସିଡି ଦିଆଯିବ, ଯାହା ଫଳରେ ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ହ୍ରାସ ପାଇବ।