ଆଜିଠୁ ପାରାଦୀପରେ ‘ସାଗର କବଚ-୨’

ପାରାଦୀପ ଉପକୂଳରେ ଦୁଇ ଦିନିଆ ଉପକୂଳ ସୁରକ୍ଷା ଅଭ୍ୟାସ ‘ସାଗର କବଚ-୨’ ଆରମ୍ଭ ହୋଇଛି ।

ଓଡିଶା-ପଶ୍ଚିମବଙ୍ଗର ମିଳିତ ସମରାଭ୍ୟାସ

ପାରାଦୀପ,୨୧/୦୯: ଆଜିଠୁ ପାରାଦୀପ ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ଉପକୂଳ ସୁରକ୍ଷା ଅଭ୍ୟାସ ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି । ଉପକୂଳ ସୁରକ୍ଷାର ଫଳପ୍ରଦତା ଆକଳନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗଭୀର ସମୁଦ୍ରରେ ଇଣ୍ଡିଆନ ନାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ସହ ସମୁଦ୍ର କୂଳ ସ୍ଥଳଭାଗରେ ସିଆଇଏସଏଫ, ପାରାଦୀପ ବନ୍ଦର ଗୁଇନ୍ଦା, ଓଡିଶା ପୋଲିସ, ଇମିଗ୍ରେସନ ଓ ବନବିଭାଗ ଇତ୍ୟାଦିରୁ ୧୮ଟି ବିଭାଗ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ଜଳପଥରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଅଭ୍ୟାସ ଜାରି ରହିଛି । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତିବର୍ଷ ଦୁଇଥର ଏହି ସମରାଭ୍ୟାସର ଆୟୋଜନ କରାଯାଇଥାଏ । ୪୮୦ କିଲୋମିଟର ସମୁଦ୍ର ବେଳାଭୂମିରେ ବିଭାଗର ବିଭିନ୍ନ କର୍ମଚାରୀଙ୍କୁ ଲାଲ ଓ ନୀଳ ଦୁଇଟି ଟିମରେ ବିଭକ୍ତ କରାଯାଇ ଏହି ସମରାଭ୍ୟାସ କରାଯାଉଛି ।