ମୋଦି କୀ ଗ୍ୟାରେଣ୍ଟି ୨୦୨୪

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛନ୍ତି।

‘ଜ୍ଞାନ’କୁ ସମର୍ପିତ ‘ସଂକଳ୍ପ ପତ୍ର’

ନୂଆଦିଲ୍ଲୀ, ୧୪/୦୪/୨୦୨୪: ସାଧାରଣ ନିର୍ବାଚନ ପାଇଁ ବିଜେପି ଆଣିଛି ‘ସଂକଳ୍ପ ପତ୍ର’। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସଂକଳ୍ପ ପତ୍ର’ ନାମରେ ଇସ୍ତାହାର ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ତଥା ଇସ୍ତାହାର କମିଟି ଅଧ୍ୟକ୍ଷ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି।

‘ମୋଦି କୀ ଗ୍ୟାରେଣ୍ଟି ୨୦୨୪’ ନାଁରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି। ଏହି ସଂକଳ୍ପ ପତ୍ରରେ ‘ଜ୍ଞାନ’କୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜି- ଗରିବ,ୱାଇ- ଯୁବ, ଏ- ଅନ୍ନଦାତା ଏବଂ ନ- ନାରୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍ ରହିଛି।

ସଂକଳ୍ପ ପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ଆଜି ଦେଶର ବିଭିନ୍ନ ରାଜ୍ୟରେ ନବ ବର୍ଷ ପାଳନ କରାଯାଉଛି। ଓଡ଼ିଶାରେ ପବିତ୍ର ପଣା ସଂକ୍ରାନ୍ତି ପାଳନ ହେଉଛି। ଆଜିର ଏହି ପବିତ୍ର ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି। ଏହା ବିଜେପିର ସଂକଳ୍ପ, ମୋଦିଙ୍କ ଗ୍ୟାରେଣ୍ଟି। ବିକଶିତ ଭାରତ ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଆଜି ଏ ସଂକଳ୍ପ ପତ୍ର ଜାରି କରାଯାଇଛି।

ବିଜେପିର ମୁଖ୍ୟ ଫୋକସ୍- ଗରିବ, ଯୁବ, କୃଷକ ଓ ମହିଳା। ଏହି ୪ଟି ବର୍ଗଙ୍କୁ ସଶକ୍ତ କରିବା ଲକ୍ଷ୍ୟ। ଆଜିର ସଂକଳ୍ପ ପତ୍ର ଯୁବ ଭାରତ ପାଇଁ ପ୍ରତିବିମ୍ବ। ଗତ ୧୦ ବର୍ଷରେ ବିଜେପି ଦେଇଥିବା ସବୁ ଗ୍ୟାରେଣ୍ଟି ପୂରଣ ହୋଇଛି। ଆଗକୁ ମଧ୍ୟ ଡିଗନିଟି ଅଫ୍ ଲାଇଫ, କ୍ଵାଲିଟି ଅଫ୍ ଲାଇଫକୁ ଫୋକସ୍ ରଖିଛି ବିଜେପି। ସବୁ ବର୍ଗ ଗରିବ ହୁଅନ୍ତୁ କି ମଧ୍ୟମ ଶ୍ରେଣୀର, ସମସ୍ତେ ଉପକୃତ ହେବେ। ଯୁବବର୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ବିଜେପିର ଲକ୍ଷ୍ୟ।

ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୯ ଯାଏ ମାଗଣା ରାସନ ଜାରି ରହିବ। ଦେଶରେ ଜନୌଷଧି କେନ୍ଦ୍ରର ବିକାଶ କରାଯିବ। ଆୟୁଷ୍ମାନ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଟ୍ରାନ୍ସଜେଣ୍ଡରଙ୍କୁ ସାମିଲ କରାଯିବ। ଆହୁରି ୩ କୋଟି ଗରିବଙ୍କ ପାଇଁ ଆବାସ ନିର୍ମାଣ ହେବ। ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ। ଘରେ ଘରେ ପାଇପ ଯୋଗେ ଶସ୍ତାରେ ଗ୍ୟାସ ପହଞ୍ଚାଇବା ଲକ୍ଷ୍ୟ। ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ। ଇକୋ ଟୁରିଜିମର ନୂଆ ସେଣ୍ଟର ଖୋଲା ହେବ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ହେବ।

୧୦ କୋଟି କୃଷକଙ୍କ ପାଇଁ ସମ୍ମାନ ନିଧି ଯୋଜନା ଜାରି ରହିବ। ଦେଶରେ ଶ୍ରୀ ଅନ୍ନ ଯୋଜନାରେ ଚାଷୀଙ୍କୁ ସହାୟତା ମିଳିବ। ଏମ୍ଏସପିରେ ବୃଦ୍ଧି ଜାରି ରହିବ। ଶୀତଳଭଣ୍ଡାର ସଂଖ୍ୟା ବଢିବ ଯାହା ଫଳରେ ପରିବା ଚାଷୀଙ୍କୁ ସହାୟତା ମିଳିବ। ମହିଳା ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେବ। ମତ୍ସ୍ୟଜୀବୀଙ୍କୁ ବୀମା ସୁବିଧା ମିଳିବ। କୋଟି କୋଟି ପରିବାରଙ୍କ ବିଜୁଳି ବିଲ୍ ଜିରୋ ହେବ। ନାରୀ ବନ୍ଦନ ଆଇନ ଲାଗୁ କରାଯିବ। ବିର୍ସାମୁଣ୍ଡା ୧୫୦ ତମ ଜୟନ୍ତୀ ଦେଶବ୍ୟାପୀ ପାଳନ ହେବ। ୭୦୦ରୁ ଅଧିକ ଏକଲବ୍ୟ ସ୍କୁଲ ତିଆରି ପାଇଁ ଯୋଜନା ରହିଛି। ଡିଜିଟାଲ ଜନଜାତି କଳା ଏକାଡ଼େମୀ ପ୍ରତିଷ୍ଠା ହେବ।