ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା

ସମ୍ଭାବ୍ୟ ମାଓ ହାମଲାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ଛତିଶଗଡ଼ ସୀମାକୁ ସିଲ୍ କରାଯାଇଛି।

ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ

ଭୁବନେଶ୍ବର, ୧୭/୦୪/୨୦୨୪: ଓଡିଶାରେ ମାଓ ହାମଲାକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ଓଡିଶା-ଛତିଶଗଡ଼ ସୀମା ସିଲ୍ କରାଯାଇଛି। ଛତିଶଗଡ଼ର କଙ୍କର ଜିଲ୍ଲାରେ ଗୁଳିବିନିମୟରେ ୨୯ ଜଣ ନକ୍ସଲ ନିହତ ହେବାର ଗୋଟିଏ ଦିନ ପରେ ଆଜି ଓଡ଼ିଶା ପୁଲିସ ଏହି ନିଷ୍ପତ୍ତି ନେଇଛି। ଓଡ଼ିଶା-ଛତିଶଗଡ଼ ସୀମାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ଛତିଶଗଡ଼ରୁ ଓଡ଼ିଶାର ୪ଟି ଜିଲ୍ଲା ଯଥାକ୍ରମେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ସିଲ୍ କରାଯାଇଥିବା ଏଡିଜି ଦେବୀଦତ୍ତ ସିଂହ ସୂଚନା ଦେଇଛନ୍ତି।

ଏହା ସହ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଓ ପାଟ୍ରୋଲିଂକୁ ଗୁରୁତ୍ବ ଦିଆଯାଇଛି। ସୀମାନ୍ତ ଅଞ୍ଚଳରେ ଥିବା ମାଓବାଦୀଙ୍କ ଆଶ୍ରୟସ୍ଥଳୀ ଉପରେ ସେନା ଡ୍ରୋନ ସାହାଯ୍ୟରେ ତୀକ୍ଷ୍ଣ ନଜର ରଖିଛି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବାହିନୀ ସହ ଓଡ଼ିଶା ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।