ଦିବାସ୍ୱପ୍ନ ଦେଖୁଛି ବିଜେପି

ଓଡ଼ିଶାରେ ପୁଣି ଥରେ ବିଜେଡ଼ି ସରକାର ଆସିବ ବୋଲି ନବୀନ ପଟ୍ଟନାୟକ ପରୋକ୍ଷ ଭାବରେ କହିଛନ୍ତି।

ବିଜେପିକୁ ନବୀନଙ୍କ କଟାକ୍ଷ

ଭୁବନେଶ୍ବର, ୦୬/୦୫/୨୦୨୪: ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜୁନ ୪ ବିଜେଡ଼ି ସରକାରର ଏକ୍ସପାୟେରୀ ଡେଟ୍। ଜୁନ ୬ରେ ବିଜେପି ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବ। ଏବେ ଏହି କଥାକୁ କିଛି କ୍ଷଣିକରେ ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସରକାର ଗଢିବା ପାଇଁ ବିଜେପି ଦିନରେ ସ୍ୱପ୍ନ ଦେଖୁଛି। ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ବିଜେପି ଓଡିଶାରେ ସରକାର ଗଠନ କରିବ ବୋଲି କହୁଛି। ଏହାର ଜବାବରେ ନବୀନ କହିଛନ୍ତି ବିଜେପି ଦିନରେ ସ୍ୱପ୍ନ ଦେଖୁଛି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ପ୍ରଚାର କରିଛନ୍ତି। ହେଲେ, ଏହି ଦୁଇ ନେତା ଉଭୟ ପରସ୍ପରର ସରକାରକୁ ଭରପୂର କଟାକ୍ଷ କରିବାରେ ଲାଗିଛନ୍ତି।