‘ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିଥିଲେ କେନ୍ଦ୍ର ସରକାର’

ମହାନଦୀ ଟ୍ରିବ୍ୟୁନାଲକୁ ନେଇ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବୟାନ।

ସାମିଲ ଥିଲେ ଓଡ଼ିଶା ବିଜେପି ନେତା ଓ ଛତିଶଗଡ଼ ସରକାର

ଭୁବନେଶ୍ବର, ୨୦/୦୪/୨୦୨୪: ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିଥିଲେ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର। ସାମିଲ ଥିଲେ ଓଡ଼ିଶା ବିଜେପି ନେତା। ଓଡିଶାକୁ ମହାନଦୀ ଜଳରୁ ବଞ୍ଚିତ କରିବାକୁ ରଚିଥିଲେ ବିଶାଳ ଷଡଯନ୍ତ୍ର। ଆଜି ଏଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ତଥ୍ୟ ଓ ପ୍ରମାଣ ସହିତ ବିଜେପିର ମହାନଦୀ ରାଜନୀତିର ଖୁଲାସା କରିଛନ୍ତି। ପାଣ୍ଡିଆନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ଜୀବନରେଖା ମହାନଦୀ ଜଳରୁ ଓଡିଶାବାସୀଙ୍କୁ ବଞ୍ଚିତ କରିବା ପାଇଁ ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ସୁପ୍ରିମକୋର୍ଟରେ ଲଢିଥିଲେ। ଟ୍ରିବ୍ୟୁନାଲ ଗଠନ ନ କରିବା ପାଇଁ ଛତିଶଗଡ଼କୁ ଏକପାଖିଆ ସମର୍ଥନ କରିଥିଲେ କେନ୍ଦ୍ର ସରକାର। କିନ୍ତୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକାକୀ ସୁପ୍ରିମକୋର୍ଟରେ ଲଢିଥିଲେ। ହେଲେ, ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରିବ୍ୟୁନାଲ ଗଠନ ନ କରିବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିଥିଲେ। ହେଲେ, ସୁପ୍ରିମକୋର୍ଟ ଓଡ଼ିଶାକୁ ନ୍ୟାୟ ଦେବା ସହିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।