ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଜାରି

ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଛି।

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭% ମତଦାନ

ଭୁବନେଶ୍ବର, ୨୦/୦୫: ଓଡ଼ିଶାରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା। ୫ଟି ଲୋକସଭା ଯଥାକ୍ରମେ ଆସିକା, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଓ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟର ୯,୧୬୨ଟି ମତଦାନ କେନ୍ଦ୍ରରେ ୩୯.୩୫ ଲକ୍ଷ ମହିଳା ଭୋଟର ଓ ୮୫୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ସମୁଦାୟ ୭୯ ଲକ୍ଷ ୬୯ ହଜାର ଯୋଗ୍ୟ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି।

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୨୧.୦୭% ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ମତଦାନ ହୋଇଥିବା ବେଳେ ବରଗଡ଼ରେ ୨୨.୦୬%, ଗଞ୍ଜାମରେ ୨୧.୯୮%, ବୌଦ୍ଧରେ ୨୧.୭୫%, ନୟାଗଡ଼ରେ ୨୦.୯୭%, ସୋନପୁରରେ ୨୦%, କନ୍ଧମାଳରେ ୧୯.୩୫% ଓ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬% ମତଦାନ ହୋଇଛି ବୋଲି ସୂଚନା ମିଳିଛି।